We Believe JesusFé, Esperança e Nova Vida

ଗୀତସଂହିତା 16

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗୀତସଂହିତା 15 ଗୀତସଂହିତା ଗୀତସଂହିତା 17 →

1ହେ ପରମେଶ୍ୱର, ମୋତେ ରକ୍ଷା କର; କାରଣ ମୁଁ ତୁମ୍ଭଠାରେ ଶରଣ ନିଏ।

2ମୁଁ ସଦାପ୍ରଭୁଙ୍କୁ କହିଅଛି, “ତୁମ୍ଭେ ମୋହର ପ୍ରଭୁ, ତୁମ୍ଭ ବିନା ମୋହର କୌଣସି ମଙ୍ଗଳ ନାହିଁ।”

3ପୃଥିବୀରେ ଯେଉଁ ପବିତ୍ର ଲୋକମାନେ ଅଛନ୍ତି, ସେମାନେ ଆଦରଣୀୟ, ସେମାନଙ୍କଠାରେ ମୋହର ପରମ ସନ୍ତୋଷ।

4ଯେଉଁମାନେ ସଦାପ୍ରଭୁଙ୍କ ପରିବର୍ତ୍ତରେ ଅନ୍ୟ ଦେବତାକୁ ଗ୍ରହଣ କରନ୍ତି, ସେମାନଙ୍କ ଦୁଃଖ ବଢ଼ିଯିବ; ସେମାନଙ୍କ ଦତ୍ତ ରକ୍ତର ପେୟ-ନୈବେଦ୍ୟ ମୁଁ ଉତ୍ସର୍ଗ କରିବି ନାହିଁ,

5ସଦାପ୍ରଭୁ ମୋହର ଅଧିକାରର ଓ ପାନପାତ୍ରର ବାଣ୍ଟ ସ୍ୱରୂପ; ତୁମ୍ଭେ ମୋହର ବାଣ୍ଟ ସ୍ଥିର କରୁଅଛ।

6ମୋʼ ପାଇଁ ମାପିବା ଦଉଡ଼ି ମନୋହର ସ୍ଥାନରେ ପଡ଼ିଅଛି; ହଁ, ମୁଁ ଉତ୍ତମ ଅଧିକାର ପାଇଅଛି।

7ମୁଁ ସଦାପ୍ରଭୁଙ୍କର ଧନ୍ୟବାଦ କରିବି, ଯେ ମୋତେ ପରାମର୍ଶ ଦେଇଅଛନ୍ତି; ଆହୁରି, ରାତ୍ରିକାଳରେ ମୋହର ଚିତ୍ତ ମୋତେ ଉପଦେଶ ଦିଏ।

8ମୁଁ ସର୍ବଦା ସଦାପ୍ରଭୁଙ୍କୁ ଆପଣା ସମ୍ମୁଖରେ ରଖିଅଛି; ସେ ମୋହର ଦକ୍ଷିଣ ପାଖରେ ଥିବାରୁ ମୁଁ ବିଚଳିତ ହେବି ନାହିଁ।

9ଏଥିପାଇଁ ମୋହର ଅନ୍ତଃକରଣ ଆନନ୍ଦିତ ଓ ମୋହର ଗୌରବ ଉଲ୍ଲସିତ ହୁଅଇ; ମୋʼ ଶରୀର ମଧ୍ୟ ନିରାପଦରେ ବାସ କରିବ।

10କାରଣ ତୁମ୍ଭେ ମୋʼ ପ୍ରାଣକୁ ପାତାଳରେ ପରିତ୍ୟାଗ କରିବ ନାହିଁ; କିଅବା ତୁମ୍ଭେ ଆପଣା ପବିତ୍ର ଜନକୁ କ୍ଷୟ ପାଇବାକୁ ଦେବ ନାହିଁ।

11ତୁମ୍ଭେ ମୋତେ ଜୀବନର ପଥ ଦେଖାଇବ; ତୁମ୍ଭ ସମ୍ମୁଖରେ ଆନନ୍ଦର ପୂର୍ଣ୍ଣତା ଥାଏ; ତୁମ୍ଭ ଦକ୍ଷିଣ ପାଖରେ ନିତ୍ୟ ସୁଖଭୋଗ ଥାଏ।

← ଗୀତସଂହିତା 15 ଗୀତସଂହିତା ଗୀତସଂହିତା 17 →