We Believe JesusFé, Esperança e Nova Vida

ପ୍ରଥମ ଶାମୁୟେଲ 22

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ପ୍ରଥମ ଶାମୁୟେଲ 21 ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 23 →

1ଏହେତୁ ଦାଉଦ ସେଠାରୁ ପ୍ରସ୍ଥାନ କରି ଅଦୁଲ୍ଲମ ଗୁମ୍ଫାକୁ ପଳାଇଲେ, ପୁଣି, ତାଙ୍କର ଭ୍ରାତୃଗଣ ଓ ତାଙ୍କର ପିତୃଗୃହସ୍ଥ ସମସ୍ତେ ତାହା ଶୁଣନ୍ତେ, ସେମାନେ ସେଠାକୁ ତାଙ୍କ କତିକି ଗଲେ।

2ଆଉ ପ୍ରତ୍ୟେକ କ୍ଳିଷ୍ଟ ଓ ପ୍ରତ୍ୟେକ ଋଣଗ୍ରସ୍ତ ଓ ପ୍ରତ୍ୟେକ ତିକ୍ତମନା ଲୋକ ତାଙ୍କ ନିକଟରେ ଏକତ୍ର ହେଲେ; ତହିଁରେ ସେ ସେମାନଙ୍କର ସେନାପତି ହେଲେ; ଏହିରୂପେ ଊଣାଧିକ ଚାରି ଶହ ଲୋକ ତାଙ୍କର ସଙ୍ଗୀ ହେଲେ।

3ଏଥିଉତ୍ତାରେ ଦାଉଦ ସେଠାରୁ ମୋୟାବ ଦେଶସ୍ଥ ମିସ୍ପେକୁ ଗଲେ; ପୁଣି, ସେ ମୋୟାବର ରାଜାକୁ କହିଲେ, “ମୁଁ ବିନୟ କରୁଅଛି, ପରମେଶ୍ୱର ମୋʼ ପ୍ରତି କଅଣ କରିବେ, ତାହା ମୁଁ ଜାଣିବା ପର୍ଯ୍ୟନ୍ତ ମୋର ପିତାମାତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ଆସି ରହିବାକୁ ଦିଅ।”

4ତହୁଁ ସେ ସେମାନଙ୍କୁ ମୋୟାବ-ରାଜାର ସାକ୍ଷାତକୁ ଆଣିଲେ ତହିଁରେ ଦାଉଦ ଦୁର୍ଗମ ସ୍ଥାନରେ ରହିବା ସମୟଯାକ ସେମାନେ ସେହି ରାଜା ସହିତ ବାସ କଲେ।

5ଏଥିମଧ୍ୟରେ ଭବିଷ୍ୟଦ୍‍ବକ୍ତା ଗାଦ୍‍ ଦାଉଦଙ୍କୁ କହିଲା, “ଏହି ଦୁର୍ଗମ ସ୍ଥାନରେ ନ ରୁହ; ପ୍ରସ୍ଥାନ କରି ଯିହୁଦା ଦେଶକୁ ଯାଅ।” ତେବେ ଦାଉଦ ପ୍ରସ୍ଥାନ କରି ହେରତ୍‍ ବଣରେ ଉପସ୍ଥିତ ହେଲେ।

6ଏଥିଉତ୍ତାରେ ଶାଉଲ ଶୁଣିଲେ ଯେ, ଦାଉଦ ଓ ତାଙ୍କର ସଙ୍ଗୀ ଲୋକମାନଙ୍କର ସନ୍ଧାନ ମିଳିଅଛି; ଏହି ସମୟରେ ଶାଉଲ ନିଜ ହସ୍ତରେ ବର୍ଚ୍ଛା ଧରି ଗିବୀୟାସ୍ଥିତ ରାମାରେ ଝାଉଁଗଛ ତଳେ ବସିଥିଲେ ଓ ତାଙ୍କର ଚାରିଆଡ଼େ ତାଙ୍କର ଦାସ ସମସ୍ତେ ଠିଆ ହୋଇଥିଲେ।

7ତହିଁରେ ଶାଉଲ ଚାରିଆଡ଼େ ଠିଆ ହୋଇଥିବା ଆପଣା ଦାସମାନଙ୍କୁ କହିଲେ, “ହେ ବିନ୍ୟାମୀନୀୟ ଲୋକମାନେ, ଶୁଣ; ଯିଶୀର ପୁତ୍ର କʼଣ ତୁମ୍ଭମାନଙ୍କ ପ୍ରତି ଜଣକୁ କ୍ଷେତ୍ର ଓ ଦ୍ରାକ୍ଷାକ୍ଷେତ୍ର ଦେବ, ସେ କʼଣ ତୁମ୍ଭ ସମସ୍ତଙ୍କୁ ସହସ୍ରପତି ଓ ଶତପତି କରିବ,

8ଏଥିପାଇଁ କʼଣ ତୁମ୍ଭେ ସମସ୍ତେ ମୋହର ବିରୁଦ୍ଧରେ କୁମନ୍ତ୍ରଣା କରୁଅଛ? ଆଉ, ମୋହର ପୁତ୍ର ଯିଶୀର ପୁତ୍ର ସଙ୍ଗେ ନିୟମ କଲା ବେଳେ କେହି ମୋହର କର୍ଣ୍ଣଗୋଚର କଲ ନାହିଁ ଓ ତୁମ୍ଭମାନଙ୍କର କେହି ମୋʼ ପାଇଁ ଚିନ୍ତିତ ହେଲ ନାହିଁ, କିଅବା ଆଜିର ପରି ମୋହର ପ୍ରତିକୂଳରେ ଛକି ବସି ଆକ୍ରମଣ କରିବା ପାଇଁ ମୋର ପୁତ୍ର ଯେ ମୋର ଦାସକୁ ମତାଇ ଅଛି, ଏହା କେହି ମୋର କର୍ଣ୍ଣଗୋଚର କଲ ନାହିଁ?”

9ତେବେ ଶାଉଲଙ୍କର ଦାସମାନଙ୍କ ନିକଟରେ ଠିଆ ହୋଇଥିବା ଇଦୋମୀୟ ଦୋୟେଗ୍‍ ଉତ୍ତର ଦେଇ କହିଲା, “ମୁଁ ଯିଶୀର ପୁତ୍ରକୁ ନୋବରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ନିକଟକୁ ଯିବାର ଦେଖିଥିଲି।

10ପୁଣି, ଅହୀମେଲକ୍‍ ତାହା ପାଇଁ ସଦାପ୍ରଭୁଙ୍କ ନିକଟରେ ପଚାରିଲା ଓ ତାହାକୁ ଖାଦ୍ୟଦ୍ରବ୍ୟ ଓ ପଲେଷ୍ଟୀୟ ଗଲୀୟାତର ଖଡ୍ଗ ଦେଲା।”

11ତହୁଁ ରାଜା ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ ଯାଜକକୁ ଓ ନୋବ ନିବାସୀ ତାହାର ପିତୃବଂଶୀୟ ସମସ୍ତ ଯାଜକଙ୍କୁ ଡାକିବା ପାଇଁ ଲୋକ ପଠାଇଲେ; ତହିଁରେ ସେମାନେ ସମସ୍ତେ ରାଜାଙ୍କ ନିକଟକୁ ଆସିଲେ।

12ଏଥିରେ ଶାଉଲ କହିଲେ, “ହେ ଅହୀଟୂବ୍‍ର ପୁତ୍ର, ତୁମ୍ଭେ ଶୁଣ।” ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମୁଁ ଏଠାରେ ଅଛି।”

13ପୁଣି, ଶାଉଲ ତାହାକୁ କହିଲେ, “ତୁମ୍ଭେ ଓ ଯିଶୀର ପୁତ୍ର କାହିଁକି ମୋʼ ବିରୁଦ୍ଧରେ କୁମନ୍ତ୍ରଣା କରିଅଛ? ଆଜିର ପରି ଯିଶୀର ପୁତ୍ର ମୋʼ ବିରୁଦ୍ଧରେ ଉଠି ଛକି ବସିବା ପାଇଁ ତୁମ୍ଭେ ତ ତାହାକୁ ରୁଟି ଓ ଖଡ୍ଗ ଦେଇଅଛ ଓ ପରମେଶ୍ୱରଙ୍କ ନିକଟରେ ତାହା ପାଇଁ ପଚାରିଅଛ।”

14ଏଥିରେ ଅହୀମେଲକ୍‍ ରାଜାଙ୍କୁ ଉତ୍ତର ଦେଇ କହିଲା, ଆପଣଙ୍କ ସମସ୍ତ ଦାସ ମଧ୍ୟରେ ଦାଉଦ ପରି କିଏ ବିଶ୍ୱସ୍ତ? ସେ ତ ମହାରାଜାଙ୍କର ଜୁଆଁଇ ଓ ଆପଣଙ୍କର ସଭାସଦ୍‍ ଓ ଆପଣଙ୍କ ଗୃହରେ ସମ୍ଭ୍ରାନ୍ତ।

15ମୁଁ କʼଣ ପରମେଶ୍ୱରଙ୍କ ନିକଟରେ ତାହା ଲାଗି ପଚାରିବାକୁ ଆଜି ଆରମ୍ଭ କଲି? ତାହା ମୋʼ ଠାରୁ ଦୂର ହେଉ; ମହାରାଜ ଆପଣାର ଏହି ଦାସକୁ ବା ମୋହର ସମସ୍ତ ପିତୃଗୃହକୁ କୌଣସି ଦୋଷ ନ ଦେଉନ୍ତୁ; କାରଣ ଆପଣଙ୍କ ଦାସ ଏସବୁ ବିଷୟରେ ଅଳ୍ପ କି ବହୁତ କିଛି ଜାଣେ ନାହିଁ।

16ଏଥିରେ ରାଜା କହିଲେ, “ହେ ଅହୀମେଲକ୍‍, ତୁମ୍ଭେ ଓ ତୁମ୍ଭ ପିତୃଗୃହ ସମସ୍ତେ ନିଶ୍ଚୟ ମରିବ।”

17ତହୁଁ ରାଜା ଆପଣା ଚତୁର୍ଦ୍ଦିଗରେ ଠିଆ ହୋଇଥିବା ଧାଉଡ଼ିଆମାନଙ୍କୁ କହିଲେ, “ତୁମ୍ଭେମାନେ ଫେରି ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କର; କାରଣ ଦାଉଦ ପକ୍ଷରେ ସେମାନଙ୍କର ମଧ୍ୟ ହସ୍ତ ଅଛି, ଆଉ ସେମାନେ ଦାଉଦର ପଳାଇବା କଥା ଜାଣିଲେ ହେଁ ତାହା ମୋହର କର୍ଣ୍ଣଗୋଚର କଲେ ନାହିଁ।” ମାତ୍ର ରାଜାଙ୍କର ଦାସମାନେ ସଦାପ୍ରଭୁଙ୍କ ଯାଜକମାନଙ୍କୁ ଆକ୍ରମଣ କରିବା ପାଇଁ ହସ୍ତ ବଢ଼ାଇବାକୁ ଅସମ୍ମତ ହେଲେ।

18ଏଣୁ ରାଜା ଦୋୟେଗ୍‍କୁ କହିଲେ, “ତୁମ୍ଭେ ଫେରି ଏହି ଯାଜକମାନଙ୍କୁ ଆକ୍ରମଣ କର।” ତହିଁରେ ଇଦୋମୀୟ ଦୋୟେଗ୍‍ ଫେରି ଯାଜକମାନଙ୍କୁ ଆକ୍ରମଣ କଲା ଓ ସେହି ଦିନ ସେ ଶୁକ୍ଳ ଏଫୋଦ-ପରିଧାନକାରୀ ପଞ୍ଚାଅଶୀ ଜଣଙ୍କୁ ବଧ କଲା।

19ପୁଣି, ସେ ଯାଜକମାନଙ୍କର ନୋବ ନଗରକୁ ଖଡ୍ଗଧାରରେ ଆଘାତ କଲା; ସେ ଖଡ୍ଗଧାରରେ ପୁରୁଷ ଓ ସ୍ତ୍ରୀ, ବାଳକ ଓ ସ୍ତନ୍ୟପାୟୀ ଶିଶୁ ଉଭୟଙ୍କୁ, ପୁଣି, ଗୋରୁ ଓ ଗର୍ଦ୍ଦଭ ଓ ମେଷାଦିକୁ ଆଘାତ କଲା।

20ସେହି ସମୟରେ ଅହୀଟୂବ୍‍ର ପୁତ୍ର ଅହୀମେଲକ୍‍ର ପୁତ୍ରମାନଙ୍କ ମଧ୍ୟରୁ ଅବୀୟାଥର ନାମରେ ଜଣେ ରକ୍ଷା ପାଇ ଦାଉଦଙ୍କ ଆଡ଼କୁ ପଳାଇଲା।

21ପୁଣି, ଅବୀୟାଥର ଦାଉଦଙ୍କୁ ଜଣାଇଲା ଯେ, ଶାଉଲ ସଦାପ୍ରଭୁଙ୍କ ଯାଜକମାନଙ୍କୁ ବଧ କରିଅଛି।

22ତହୁଁ ଦାଉଦ ଅବୀୟାଥରକୁ କହିଲେ, “ଇଦୋମୀୟ ଦୋୟେଗ୍‍ ସେଠାରେ ଥିବା ବେଳେ ମୁଁ ସେହି ଦିନ ଜାଣିଲି ଯେ, ସେ ନିଶ୍ଚୟ ଶାଉଲଙ୍କୁ ଜଣାଇବ; ମୁଁ ତୁମ୍ଭ ପିତୃଗୃହସ୍ଥ ସମସ୍ତ ପ୍ରାଣୀଙ୍କର ମୃତ୍ୟୁୁ ଘଟାଇଅଛି।

23ତୁମ୍ଭେ ମୋʼ ସଙ୍ଗେ ରୁହ, ଭୟ ନ କର; କାରଣ ଯେ ମୋର ପ୍ରାଣ ଚାହେଁ, ସେ ତୁମ୍ଭ ପ୍ରାଣ ଚାହେଁ; ମାତ୍ର ମୋʼ ସଙ୍ଗେ ତୁମ୍ଭେ ସୁରକ୍ଷିତ ହେବ।”

← ପ୍ରଥମ ଶାମୁୟେଲ 21 ପ୍ରଥମ ଶାମୁୟେଲ ପ୍ରଥମ ଶାମୁୟେଲ 23 →