We Believe JesusFé, Esperança e Nova Vida

ଗଣନା ପୁସ୍ତକ 2

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଗଣନା ପୁସ୍ତକ 1 ଗଣନା ପୁସ୍ତକ ଗଣନା ପୁସ୍ତକ 3 →

1ଏଥିଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରୋଣଙ୍କୁ କହିଲେ,

2“ଇସ୍ରାଏଲ-ସନ୍ତାନଗଣ ପ୍ରତ୍ୟେକେ ଆପଣା ଆପଣା ପିତୃଗୃହର ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ; ସେମାନେ ସମାଗମ-ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ।

3ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଯିହୁଦା-ଧ୍ୱଜାର ପଶ୍ଚାଦ୍‍ଗାମୀ ଲୋକ; ପୁଣି, ଅମ୍ମୀନାଦବର ପୁତ୍ର ନହଶୋନ ଯିହୁଦା-ସନ୍ତାନଗଣର ଅଧିପତି ହେବ;

4ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉସ୍ତରି ହଜାର ଛଅ ଶହ।

5ତାହା ପାଖରେ ଇଷାଖର ବଂଶ ଛାଉଣି ସ୍ଥାପନ କରିବେ, ସୂୟାରର ପୁତ୍ର ନଥନେଲ ଇଷାଖର-ସନ୍ତାନଗଣର ଅଧିପତି ହେବ;

6ତାହାର ଗଣିତ ସୈନ୍ୟ ସଂଖ୍ୟା ଚଉବନ ହଜାର ଚାରି ଶହ।

7ତହୁଁ ସବୂଲୂନ ବଂଶ; ହେଲୋନର ପୁତ୍ର ଇଲୀୟାବ୍‍ ସବୂଲୂନ-ସନ୍ତାନଗଣର ଅଧିପତି ହେବ;

8ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ସତାବନ ହଜାର ଚାରି ଶହ।

9ଯିହୁଦା-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଛୟାଅଶୀ ହଜାର ଚାରି ଶହ। ସେମାନେ ପ୍ରଥମେ ଅଗ୍ରସର ହେବେ।

10ଦକ୍ଷିଣ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ରୁବେନ୍‍-ଛାଉଣିର ଧ୍ୱଜା ରହିବ; ଶଦେୟରର ପୁତ୍ର ଇଲୀଷୂର ରୁବେନ୍‍-ସନ୍ତାନଗଣର ଅଧିପତି ହେବ;

11ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ଛୟାଳିଶ ହଜାର ପାଞ୍ଚ ଶହ।

12ତାହା ପାଖରେ ଶିମୀୟୋନ ବଂଶ ଛାଉଣି ସ୍ଥାପନ କରିବେ ଓ ସୂରୀଶଦ୍ଦୟର ପୁତ୍ର ଶଲୁମୀୟେଲ ଶିମୀୟୋନ-ସନ୍ତାନଗଣର ଅଧିପତି ହେବ;

13ତାହାର ଗଣିତ ସୈନ୍ୟ ସଂଖ୍ୟା ଊଣଷଠି ହଜାର ତିନି ଶହ।

14ତହୁଁ ଗାଦ୍‍ର ବଂଶ; ରୁୟେଲର ପୁତ୍ର ଇଲୀୟାସଫ୍‍ ଗାଦ୍‍-ସନ୍ତାନଗଣର ଅଧିପତି ହେବ;

15ପୁଣି, ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚଚାଳିଶ ହଜାର ଛଅ ଶହ ପଚାଶ।

16ରୁବେନ୍‍-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଏକାବନ ହଜାର ଚାରି ଶହ ପଚାଶ। ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ।

17ଏଉତ୍ତାରେ ସମାଗମ-ତମ୍ବୁ ଲେବୀୟମାନଙ୍କ ଛାଉଣି ସହିତ ଛାଉଣିମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ; ଯେପରି ସେମାନେ ଛାଉଣି ସ୍ଥାପନ କରିବେ, ସେପରି ପ୍ରତ୍ୟେକେ ସ୍ୱ ସ୍ୱ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ।

18ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରୟିମ-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀହୂଦର ପୁତ୍ର ଇଲୀଶାମା ଇଫ୍ରୟିମ-ସନ୍ତାନଗଣର ଅଧିପତି ହେବ;

19ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା ଚାଳିଶ ହଜାର ପାଞ୍ଚ ଶହ।

20ତାହା ପାଖରେ ମନଃଶି ବଂଶ ରହିବେ, ପୁଣି, ପଦାହସୂରର ପୁତ୍ର ଗମଲୀୟେଲ ମନଃଶି-ସନ୍ତାନମାନଙ୍କର ଅଧିପତି ହେବ;

21ତାହାର ଗଣିତ ସୈନ୍ୟ ସଂଖ୍ୟା ବତିଶ ହଜାର ଦୁଇ ଶହ।

22ତହୁଁ ବିନ୍ୟାମୀନ୍ ବଂଶ; ପୁଣି, ଗିଦିୟୋନିର ପୁତ୍ର ଅବୀଦାନ୍‍ ବିନ୍ୟାମୀନ୍-ସନ୍ତାନଗଣର ଅଧିପତି ହେବ;

23ତାହାର ଗଣିତ ସୈନ୍ୟ ସଂଖ୍ୟା ପଞ୍ଚତିରିଶ ହଜାର ଚାରି ଶହ।

24ଇଫ୍ରୟିମ-ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ ଏକ ଲକ୍ଷ ଆଠ ହଜାର ଏକ ଶହ। ସେମାନେ ତୃତୀୟରେ ଅଗ୍ରସର ହେବେ।

25ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ୍-ଛାଉଣିର ଧ୍ୱଜା ରହିବ; ପୁଣି, ଅମ୍ମୀଶଦ୍ଦୟର ପୁତ୍ର ଅହୀୟେଷର ଦାନ୍-ସନ୍ତାନଗଣର ଅଧିପତି ହେବ;

26ତାହାର ଗଣିତ ସୈନ୍ୟ ସଂଖ୍ୟା ବାଷଠି ହଜାର ସାତ ଶହ।

27ତାହା ପାଖରେ ଆଶେର ବଂଶର ଛାଉଣି ରହିବ; ଅକ୍ରଣର ପୁତ୍ର ପଗୀୟେଲ ଆଶେର-ସନ୍ତାନଗଣର ଅଧିପତି ହେବ;

28ତାହାର ଗଣିତ ସୈନ୍ୟ ସଂଖ୍ୟା ଏକଚାଳିଶ ହଜାର ପାଞ୍ଚ ଶହ।

29ତହୁଁ ନପ୍ତାଲି ବଂଶ; ଐନନର ପୁତ୍ର ଅହୀର ନପ୍ତାଲି-ସନ୍ତାନଗଣର ଅଧିପତି ହେବ;

30ତାହାର ଗଣିତ ସୈନ୍ୟ ସଂଖ୍ୟା ତେପନ ହଜାର ଚାରି ଶହ।

31ଦାନ୍-ଛାଉଣିର ଗଣିତ ଲୋକମାନଙ୍କ ସଂଖ୍ୟା ଏକ ଲକ୍ଷ ସତାବନ ହଜାର ଛଅ ଶହ। ସେମାନେ ଆପଣାମାନଙ୍କ ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ।”

32ଏମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହାନୁସାରେ ଗଣିତ ହେଲେ; ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣିର ଗଣିତ ଲୋକ ସଂଖ୍ୟା ଛଅ ଲକ୍ଷ ତିନି ହଜାର ପାଞ୍ଚ ଶହ ପଚାଶ ହେଲା।

33ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ-ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ।

34ଏହିରୂପେ ଇସ୍ରାଏଲ-ସନ୍ତାନଗଣ କଲେ; ସଦାପ୍ରଭୁ ମୋଶାଙ୍କୁ ଯେପରି ଆଜ୍ଞାସବୁ ଦେଇଥିଲେ, ସେପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହାନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣି ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ।

← ଗଣନା ପୁସ୍ତକ 1 ଗଣନା ପୁସ୍ତକ ଗଣନା ପୁସ୍ତକ 3 →