We Believe JesusFé, Esperança e Nova Vida

ଯିରିମୀୟ 16

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯିରିମୀୟ 15 ଯିରିମୀୟ ଯିରିମୀୟ 17 →

1ସଦାପ୍ରଭୁଙ୍କର ବାକ୍ୟ ଆହୁରି ମୋʼ ନିକଟରେ ଉପସ୍ଥିତ ହେଲା,

2ଯଥା, “ତୁମ୍ଭେ ଏହି ସ୍ଥାନରେ ବିବାହ କରିବ ନାହିଁ, କିଅବା ପୁତ୍ରକନ୍ୟା ଜାତ କରିବ ନାହିଁ।

3କାରଣ ଏହି ସ୍ଥାନରେ ଜାତ ପୁତ୍ର ଓ କନ୍ୟାଗଣ ବିଷୟରେ ଓ ଏହି ଦେଶରେ ସେମାନଙ୍କର ପ୍ରସବକାରିଣୀ ମାତାମାନଙ୍କ ବିଷୟରେ, ଆଉ ସେମାନଙ୍କ ଜନ୍ମଦାତା ପିତୃଗଣ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି।

4ସେମାନେ ଅତି ଯନ୍ତ୍ରଣାଦାୟକ ମୃତ୍ୟୁୁରେ ପ୍ରାଣତ୍ୟାଗ କରିବେ; ସେମାନଙ୍କ ନିମନ୍ତେ ବିଳାପ କରାଯିବ ନାହିଁ, କିଅବା ସେମାନଙ୍କୁ କବର ଦିଆଯିବ ନାହିଁ, ସେମାନେ ଭୂମି ଉପରେ ଖତ ପରି ହେବେ; ଆଉ, ସେମାନେ ଖଡ୍ଗ ଓ ଦୁର୍ଭିକ୍ଷ ଦ୍ୱାରା ସଂହାରିତ ହେବେ; ପୁଣି, ସେମାନଙ୍କର ଶବ ଆକାଶ ପକ୍ଷୀଗଣର ଓ ଭୂଚର ପଶୁଗଣର ଖାଦ୍ୟ ହେବ।

5କାରଣ ସଦାପ୍ରଭୁ ଏହି କଥା କହନ୍ତି, ଶୋକ ଗୃହରେ ପ୍ରବେଶ କର ନାହିଁ, କିଅବା ସେମାନଙ୍କ ପାଇଁ ବିଳାପ ଅଥବା କ୍ରନ୍ଦନ କରିବା ପାଇଁ ଯାଅ ନାହିଁ; କାରଣ ସଦାପ୍ରଭୁ କହନ୍ତି ଆମ୍ଭେ ଏହି ଲୋକମାନଙ୍କଠାରୁ ଆମ୍ଭର ଶାନ୍ତି ଓ ସ୍ନେହପୂର୍ଣ୍ଣ କରୁଣା ଓ ଦୟା ହରଣ କରିଅଛୁ।

6ଏହି ଦେଶରେ ମହାନ ଓ କ୍ଷୁଦ୍ର ଉଭୟ ଲୋକ ମରିବେ; ସେମାନଙ୍କୁ କବର ଦିଆଯିବ ନାହିଁ, ଅଥବା ଲୋକେ ସେମାନଙ୍କ ନିମନ୍ତେ ବିଳାପ କରିବେ ନାହିଁ, କିଅବା ସେମାନଙ୍କ ନିମନ୍ତେ ଆପଣା ଆପଣା ଅଙ୍ଗରେ ଅସ୍ତ୍ରାଘାତ ଅଥବା ମସ୍ତକ ମୁଣ୍ଡନ କରିବେ ନାହିଁ;

7କିଅବା ମୃତ ଲୋକମାନଙ୍କ ନିମନ୍ତେ ଶୋକକାରୀମାନଙ୍କୁ ସାନ୍ତ୍ୱନା କରିବା ପାଇଁ ଲୋକେ ରୁଟି ଭାଙ୍ଗିବେ ନାହିଁ; ଅଥବା ଆପଣା ଆପଣା ପିତା ଓ ମାତା ନିମନ୍ତେ ପାନ କରିବା ପାଇଁ ସାନ୍ତ୍ୱନାସୂଚକ ପାତ୍ର ଦେବେ ନାହିଁ।

8ପୁଣି, ତୁମ୍ଭେ ଭୋଜନପାନ କରିବା ନିମନ୍ତେ ସେମାନଙ୍କ ସଙ୍ଗେ ବସିବା ପାଇଁ କୌଣସି ଭୋଜି ଗୃହକୁ ଯିବ ନାହିଁ।

9କାରଣ ସୈନ୍ୟାଧିପତି ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭମାନଙ୍କ ଦୃଷ୍ଟିଗୋଚରରେ ଓ ତୁମ୍ଭମାନଙ୍କ ସମୟରେ ଏହି ସ୍ଥାନରୁ ଆମୋଦ-ପ୍ରମୋଦର ଧ୍ୱନି ଓ ଆନନ୍ଦର ଧ୍ୱନି, ବରର ରବ ଓ କନ୍ୟାର ରବ ନିବୃତ୍ତ କରାଇବା।

10ଆଉ, ତୁମ୍ଭେ ଏହିସବୁ କଥା ଏ ଲୋକମାନଙ୍କ ନିକଟରେ ଯେତେବେଳେ ପ୍ରକାଶ କରିବ ଓ ସେମାନେ ତୁମ୍ଭକୁ କହିବେ, ‘ସଦାପ୍ରଭୁ କାହିଁକି ଏହିସବୁ ମହା ଅମଙ୍ଗଳର କଥା ଆମ୍ଭମାନଙ୍କ ବିରୁଦ୍ଧରେ କହିଅଛନ୍ତି? ଅବା ଆମ୍ଭମାନଙ୍କର ଅପରାଧ କି? ଅବା ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ବିରୁଦ୍ଧରେ କି ପାପ କରିଅଛୁ?’

11ତହିଁରେ ତୁମ୍ଭେ ସେମାନଙ୍କୁ କହିବ, ‘ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପିତୃପୁରୁଷମାନେ ଆମ୍ଭକୁ ପରିତ୍ୟାଗ କରିଅଛନ୍ତି, ପୁଣି ଅନ୍ୟ ଦେବଗଣର ପଶ୍ଚାଦ୍‍ଗମନ କରି ସେମାନଙ୍କର ସେବା କରିଅଛନ୍ତି ଓ ସେମାନଙ୍କର ପୂଜା କରିଅଛନ୍ତି, ଆଉ ଆମ୍ଭକୁ ପରିତ୍ୟାଗ କରି ଆମ୍ଭର ବ୍ୟବସ୍ଥା ପାଳନ କରି ନାହାନ୍ତି।

12ପୁଣି, ତୁମ୍ଭେମାନେ ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ଅପେକ୍ଷା ଅଧିକ ମନ୍ଦ ଆଚରଣ କରିଅଛ; କାରଣ ଦେଖ, ତୁମ୍ଭେମାନେ ପ୍ରତ୍ୟେକେ ଆପଣା ଆପଣା ଦୁଷ୍ଟାନ୍ତଃକରଣର ଅବାଧ୍ୟତାନୁସାରେ ଆଚରଣ କରୁଅଛ, ଆମ୍ଭ ବାକ୍ୟରେ ଅବଧାନ କରୁ ନାହଁ;

13ଏହେତୁ ଆମ୍ଭେ ତୁମ୍ଭମାନଙ୍କୁ ଏହି ଦେଶରୁ, ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କ ପୂର୍ବପୁରୁଷଗଣର ଅଜ୍ଞାତ ଏକ ଦେଶରେ ନିକ୍ଷେପ କରିବା; ଆଉ, ସେଠାରେ ତୁମ୍ଭେମାନେ ଦିବାରାତ୍ର ଅନ୍ୟ ଦେବଗଣର ସେବା କରିବ; କାରଣ ଆମ୍ଭେ ତୁମ୍ଭମାନଙ୍କୁ କିଛିମାତ୍ର ଅନୁଗ୍ରହ କରିବା ନାହିଁ।’”

14ଏନିମନ୍ତେ ସଦାପ୍ରଭୁ କହନ୍ତି, “ଦେଖ, ‘ଇସ୍ରାଏଲ-ସନ୍ତାନଗଣକୁ ଯେ ମିସର ଦେଶରୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ, ଯେଉଁ ସମୟରେ ଲୋକମାନେ ଏହି କଥା କହିବେ ନାହିଁ;’

15ମାତ୍ର ‘ଇସ୍ରାଏଲ-ସନ୍ତାନଗଣକୁ ଉତ୍ତର ଦେଶରୁ ଓ ଯେଉଁ ଯେଉଁ ସ୍ଥାନରେ ସେ ସେମାନଙ୍କୁ ତଡ଼ି ଦେଇଥିଲେ, ସେହି ସବୁ ଦେଶରୁ ଯେ ସେମାନଙ୍କୁ ବାହାର କରି ଆଣିଲେ, ସେହି ଜୀବିତ ସଦାପ୍ରଭୁ ବୋଲି କହିବେ,’ ଏପରି ସମୟ ଆସୁଅଛି; ପୁଣି, ଆମ୍ଭେ ସେମାନଙ୍କର ପିତୃପୁରୁଷମାନଙ୍କୁ ଯେଉଁ ଦେଶ ଦେଇଥିଲୁ, ସେମାନଙ୍କର ସେହି ଦେଶକୁ ସେମାନଙ୍କୁ ପୁନର୍ବାର ଆଣିବା।

16ସଦାପ୍ରଭୁ କହନ୍ତି, ଦେଖ, ଆମ୍ଭେ ଅନେକ ଧୀବର ଅଣାଇବା, ତହିଁରେ ସେମାନେ ମତ୍ସ୍ୟ ପରି ସେମାନଙ୍କୁ ଧରିବେ; ପୁଣି, ତହିଁ ଉତ୍ତାରେ ଆମ୍ଭେ ଅନେକ ବ୍ୟାଧ ଅଣାଇବା, ତହିଁରେ ସେମାନେ ପ୍ରତ୍ୟେକ ପର୍ବତରୁ ଓ ପ୍ରତ୍ୟେକ ଉପପର୍ବତରୁ ଓ ଶୈଳର ଛିଦ୍ରରୁ ସେମାନଙ୍କୁ ଅନୁସନ୍ଧାନ କରି ଆଣିବେ।

17କାରଣ ସେମାନଙ୍କର ସମସ୍ତ ପଥରେ ଆମ୍ଭର ଦୃଷ୍ଟି ଅଛି; ସେମାନେ ଆମ୍ଭ ସାକ୍ଷାତରୁ ଲୁଚା ନୁହନ୍ତି, କିଅବା ସେମାନଙ୍କର ଅଧର୍ମ ଆମ୍ଭ ଦୃଷ୍ଟିରେ ଅଗୋଚର ନୁହେଁ।

18ପୁଣି, ଆମ୍ଭେ ପ୍ରଥମେ ସେମାନଙ୍କର ଅଧର୍ମ ଓ ପାପର ଦୁଇଗୁଣ ପ୍ରତିଫଳ ଦେବା, କାରଣ ସେମାନେ ଆପଣାମାନଙ୍କ ଘୃଣ୍ୟ ବସ୍ତୁ ରୂପ ଶବରେ ଆମ୍ଭର ଦେଶ ଅପବିତ୍ର କରିଅଛନ୍ତି ଓ ଆପଣାମାନଙ୍କର ଘୃଣାଯୋଗ୍ୟ କର୍ମରେ ଆମ୍ଭର ଅଧିକାର ପରିପୂର୍ଣ୍ଣ କରିଅଛନ୍ତି।”

19ହେ ମୋର ବଳ, ମୋର ଦୃଢ଼ ଦୁର୍ଗ

20ମନୁଷ୍ୟ କି ଆପଣା ନିମନ୍ତେ ଈଶ୍ୱର ନିର୍ମାଣ କରିବ? ସେ ତ ଈଶ୍ୱର ନୁହେଁ।”

21“ଏନିମନ୍ତେ ଦେଖ, ଆମ୍ଭେ ସେମାନଙ୍କୁ ଜ୍ଞାତ କରାଇବା,

← ଯିରିମୀୟ 15 ଯିରିମୀୟ ଯିରିମୀୟ 17 →