We Believe JesusFé, Esperança e Nova Vida

ଯୋହନ 7

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯୋହନ 6 ଯୋହନ ଯୋହନ 8 →

1ଏଥିଉତ୍ତାରେ ଯୀଶୁ ଗାଲିଲୀରେ ଭ୍ରମଣ କରିବାକୁ ଲାଗିଲେ, କାରଣ କେତେକ ଯିହୁଦୀ ନେତାମାନେ ତାହାଙ୍କୁ ବଧ କରିବା ନିମନ୍ତେ ଚେଷ୍ଟା କରୁଥିବାରୁ ସେ ଯିହୂଦିୟା ପ୍ରଦେଶରେ ଭ୍ରମଣ କରିବାକୁ ଇଚ୍ଛା କରୁ ନ ଥିଲେ।

2କିନ୍ତୁ ଯିହୁଦୀମାନଙ୍କର କୁଟୀରବାସ ପର୍ବ ସନ୍ନିକଟ ହୁଅନ୍ତେ,

3ତାହାଙ୍କ ଭାଇମାନେ ତାହାଙ୍କୁ କହିଲେ, ତୁମ୍ଭେ ଯେ ଯେ କର୍ମ କରୁଅଛ, ସେହିସବୁ ଯେପରି ତୁମ୍ଭର ଶିଷ୍ୟମାନେ ମଧ୍ୟ ଦେଖିବେ, ଏନିମନ୍ତେ ଏଠାରୁ ବାହାରିଯାଇ ଯିହୂଦିୟା ପ୍ରଦେଶକୁ ଯାଅ,

4କାରଣ କେହି ପ୍ରକାଶିତ ହେବାକୁ ଇଚ୍ଛା କଲେ ଗୋପନରେ କିଛି କରେ ନାହିଁ। ତୁମ୍ଭେ ଯଦି ଏସମସ୍ତ କରୁଅଛ, ତେବେ ଆପଣାକୁ ଜଗତ ନିକଟରେ ପ୍ରକାଶ କର।

5କାରଣ ତାହାଙ୍କ ଭାଇମାନେ ସୁଦ୍ଧା ତାହାଙ୍କଠାରେ ବିଶ୍ୱାସ କରୁ ନ ଥିଲେ।

6ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ସମୟ ଏପର୍ଯ୍ୟନ୍ତ ଉପସ୍ଥିତ ହୋଇ ନାହିଁ, ମାତ୍ର ତୁମ୍ଭମାନଙ୍କର ସମୟ ସର୍ବଦା ଉପସ୍ଥିତ।

7ଜଗତ ତୁମ୍ଭମାନଙ୍କୁ ଘୃଣା କରିପାରେ ନାହିଁ, କିନ୍ତୁ ମୋତେ ଘୃଣା କରେ, କାରଣ ତାହାର କର୍ମ ଯେ ମନ୍ଦ, ମୁଁ ତାହା ବିଷୟରେ ଏହି ସାକ୍ଷ୍ୟ ଦେଉଅଛି।

8ତୁମ୍ଭେମାନେ ଏହି ପର୍ବକୁ ଯାଅ, ମୁଁ ଏବେ ଏହି ପର୍ବକୁ ଯାଉ ନାହିଁ, କାରଣ ମୋହର ସମୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇ ନାହିଁ।”

9ସେ ସେମାନଙ୍କୁ ଏହି ସମସ୍ତ କଥା କହି ଗାଲିଲୀରେ ରହିଲେ।

10କିନ୍ତୁ ତାହାଙ୍କ ଭାଇମାନେ ପର୍ବକୁ ଗଲା ଉତ୍ତାରେ ସେ ମଧ୍ୟ ଗଲେ, ପ୍ରକାଶରେ ନୁହେଁ, ମାତ୍ର ଏକ-ପ୍ରକାର ଗୋପନରେ।

11ଏଣୁ ଯିହୁଦୀମାନେ ପର୍ବରେ ତାହାଙ୍କୁ ଖୋଜୁ ଖୋଜୁ ପଚାରିଲେ, ସେ କାହିଁ?

12ଆଉ, ତାହାଙ୍କ ବିଷୟରେ ଲୋକସମୂହ ମଧ୍ୟରେ ବହୁତ ଆନ୍ଦୋଳନ ହେବାକୁ ଲାଗିଲା; କେହି କେହି କହିଲେ, ସେ ଜଣେ ଉତ୍ତମ ଲୋକ;

13ତଥାପି ଯିହୁଦୀମାନଙ୍କ ଭୟରେ ତାହାଙ୍କ ବିଷୟରେ ପ୍ରକାଶରେ କେହି କିଛି କହୁ ନ ଥିଲେ।

14କିନ୍ତୁ ପର୍ବର ଅର୍ଦ୍ଧେକ ସମୟ ଗତ ହୁଅନ୍ତେ, ଯୀଶୁ ମନ୍ଦିରକୁ ଯାଇ ଶିକ୍ଷା ଦେବାକୁ ଲାଗିଲେ।

15ଏଥିରେ ଯିହୁଦୀମାନେ ଚମତ୍କୃତ ହୋଇ କହିଲେ, ଏ ପାଠ ନ ପଢ଼ି କିପରି ପଣ୍ଡିତ ହେଲା?

16ତେଣୁ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୋହର ଶିକ୍ଷା ମୋʼ ନିଜର ନୁହେଁ, କିନ୍ତୁ ମୋʼ ପ୍ରେରଣକର୍ତ୍ତାଙ୍କର।

17କେହି ଯଦି ତାହାଙ୍କର ଇଚ୍ଛା ସାଧନ କରିବାକୁ ଇଚ୍ଛୁକ ହୁଏ, ତାହାହେଲେ ଏହି ଶିକ୍ଷା ଈଶ୍ବରଙ୍କଠାରୁ ଉତ୍ପନ୍ନ, ନା ମୁଁ ଆପଣାଠାରୁ କହୁଅଛି, ତାହା ସେ ଜାଣିବ।

18ଯେ ଆପଣାରୁ କହେ, ସେ ନିଜ ଗୌରବ ଅନ୍ୱେଷଣ କରେ, କିନ୍ତୁ ଯେ ଆପଣା ପ୍ରେରଣକର୍ତ୍ତାଙ୍କ ଗୌରବ ଅନ୍ୱେଷଣ କରେ, ସେ ସତ, ଆଉ ତାହାଠାରେ କୌଣସି ଅଧର୍ମ ନାହିଁ।

19ମୋଶା କଅଣ ତୁମ୍ଭମାନଙ୍କୁ ବ୍ୟବସ୍ଥା ଦେଇ ନାହାନ୍ତି? ତଥାପି ତୁମ୍ଭମାନଙ୍କ ମଧ୍ୟରୁ କେହି ମୋଶାଙ୍କ ବ୍ୟବସ୍ଥା ପାଳନ କରୁ ନାହଁ। ତୁମ୍ଭେମାନେ କାହିଁକି ମୋତେ ବଧ କରିବାକୁ ଚେଷ୍ଟା କରୁଅଛ?”

20ଲୋକସମୂହ ଉତ୍ତର ଦେଲେ, ତୁମକୁ ଭୂତ ଲାଗିଅଛି, କିଏ ତୁମକୁ ବଧ କରିବାକୁ ଚେଷ୍ଟା କରୁଅଛି?

21ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ମୁଁ ଗୋଟିଏ କର୍ମ କଲି, ଆଉ ତୁମ୍ଭେମାନେ ସମସ୍ତେ ଚମତ୍କୃତ ହୋଇଅଛ।

22ଏହି ହେତୁରୁ ମୋଶା ତୁମ୍ଭମାନଙ୍କୁ ସୁନ୍ନତ ବିଧି ଦେଇଅଛନ୍ତି (ଏହା ଯେ ମୋଶାଙ୍କଠାରୁ ହୋଇଅଛି, ତାହା ନୁହେଁ, ମାତ୍ର ପିତୃ-ପୁରୁଷଙ୍କଠାରୁ), ଆଉ ତୁମ୍ଭେମାନେ ବିଶ୍ରାମବାର ଦିନରେ ମନୁଷ୍ୟର ସୁନ୍ନତ କରୁଅଛ।

23ମୋଶାଙ୍କର ବ୍ୟବସ୍ଥା ଲଙ୍ଘନ ନ ହେବା ନିମନ୍ତେ ଯଦି ବିଶ୍ରାମବାର ଦିନରେ ମନୁଷ୍ୟ ସୁନ୍ନତ ପ୍ରାପ୍ତ ହୁଏ, ତାହାହେଲେ ମୁଁ ବିଶ୍ରାମବାର ଦିନରେ ଜଣେ ମନୁଷ୍ୟକୁ ସର୍ବାଙ୍ଗ ସୁସ୍ଥ କରିବାରୁ ତୁମ୍ଭେମାନେ କାହିଁକି ମୋʼ ଉପରେ କ୍ରୋଧ କରୁଅଛ?

24ବାହ୍ୟ ବିଷୟ ଦେଖି ବିଚାର ନ କରି ଉଚିତ୍ ନ୍ୟାୟବିଚାର କର।”

25ଏଥିରେ ଯିରୂଶାଲମ ସହରନିବାସୀମାନଙ୍କ ମଧ୍ୟରୁ କେହି କେହି କହିବାକୁ ଲାଗିଲେ, ସେମାନେ ଯାହାକୁ ବଧ କରିବା ନିମନ୍ତେ ଚେଷ୍ଟା କରୁଅଛନ୍ତି, ଏ କଅଣ ସେ ନୁହେଁ?

26ପୁଣି, ଦେଖ, ସେ ପ୍ରକାଶରେ କଥା କହୁଅଛି, ଆଉ ସେମାନେ ତାହାକୁ କିଛି କରୁ ନାହାନ୍ତି। ଏ ଯେ ଖ୍ରୀଷ୍ଟ, ଏହା କଅଣ ନେତାମାନେ ସତେ ଜାଣି ସାରିଲେଣି?

27ଯାହା ହେଉ, ଆମ୍ଭେମାନେ ଜାଣୁ ଯେ ଏହି ବ୍ୟକ୍ତି କେଉଁଠାରୁ, କିନ୍ତୁ ଖ୍ରୀଷ୍ଟ ଯେତେବେଳେ ଆସିବେ, ସେତେବେଳେ କେହି ଜାଣିବ ନାହିଁ ଯେ ସେ କେଉଁଠାରୁ ଅଟନ୍ତି।

28ସେଥିରେ ଯୀଶୁ ମନ୍ଦିରରେ ଶିକ୍ଷା ଦେଉ ଦେଉ ଉଚ୍ଚସ୍ୱରରେ କହିଲେ, “ତୁମ୍ଭେମାନେ ମୋତେ ଓ ମୋହର ଉତ୍ପତ୍ତି ଉଭୟ ଜାଣ; ମୁଁ ନିଜଠାରୁ ଆସି ନାହିଁ, କିନ୍ତୁ ମୋହର ପ୍ରେରଣକର୍ତ୍ତା ସତ, ତାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ।

29ମୁଁ ତାହାଙ୍କୁ ଜାଣେ, କାରଣ ମୁଁ ତାହାଙ୍କଠାରୁ ଉତ୍ପନ୍ନ, ଆଉ ସେ ମୋତେ ପ୍ରେରଣ କଲେ।”

30ସେଥିରେ ସେମାନେ ତାହାଙ୍କୁ ଧରିବାକୁ ଚେଷ୍ଟା କଲେ; କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ, କାରଣ ତାହାଙ୍କ ସମୟ ସେପର୍ଯ୍ୟନ୍ତ ଉପସ୍ଥିତ ହୋଇ ନ ଥିଲା।

31କିନ୍ତୁ ଲୋକସମୂହ ମଧ୍ୟରୁ ଅନେକେ ତାହାଙ୍କଠାରେ ବିଶ୍ୱାସ କରି କହିବାକୁ ଲାଗିଲେ, ଏ ଯେ ସମସ୍ତ ଆଶ୍ଚର୍ଯ୍ୟକର୍ମ କରିଅଛନ୍ତି, ଖ୍ରୀଷ୍ଟ ଆସି ତାହାଠାରୁ କଅଣ ଅଧିକ କରିବେ?

32ଫାରୂଶୀମାନେ ଲୋକସମୂହକୁ ତାହାଙ୍କ ବିଷୟରେ ଆନ୍ଦୋଳନ କରିବା ଶୁଣିଲେ ଏବଂ ପ୍ରଧାନ ଯାଜକମାନେ ଓ ଫାରୂଶୀମାନେ ତାହାଙ୍କୁ ଧରିବା ନିମନ୍ତେ ପଦାତିକମାନଙ୍କୁ ପଠାଇଲେ।

33ସେଥିରେ ଯୀଶୁ କହିଲେ, “ମୁଁ ଆଉ ଅଳ୍ପ ସମୟ ତୁମ୍ଭମାନଙ୍କ ସହିତ ରହି ମୋହର ପ୍ରେରଣକର୍ତ୍ତାଙ୍କ ନିକଟକୁ ଯାଉଅଛି।

34ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ; ଆଉ, ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ।”

35ଏଥିରେ ଯିହୁଦୀମାନେ ପରସ୍ପର କହିଲେ, ଏ କେଉଁଠାକୁ ଯିବା ପାଇଁ ବାହାରିଅଛି ଯେ, ଆମ୍ଭେମାନେ ତାହାକୁ ପାଇବା ନାହିଁ? ଏ କଅଣ ଗ୍ରୀକ୍‍ମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ଆମ୍ଭମାନଙ୍କ ଯିହୁଦୀମାନଙ୍କ ନିକଟକୁ ଯାଇ ଗ୍ରୀକ୍‍ମାନଙ୍କୁ ଶିକ୍ଷା ଦେବାକୁ ବାହାରିଅଛି?

36“ତୁମ୍ଭେମାନେ ମୋତେ ଖୋଜିବ, ମାତ୍ର ପାଇବ ନାହିଁ, ଆଉ ମୁଁ ଯେଉଁଠାରେ ଥିବି, ତୁମ୍ଭେମାନେ ସେଠାକୁ ଆସିପାରିବ ନାହିଁ,” ସେ ଏହି ଯେଉଁ କଥା କହିଲେ, ସେ କଅଣ?

37ଶେଷଦିନ, ଅର୍ଥାତ୍‍, ପର୍ବର ପ୍ରଧାନ ଦିନ, ଯୀଶୁ ଠିଆ ହୋଇ ଉଚ୍ଚସ୍ୱରରେ କହିଲେ, “କେହି ଯଦି ତୃଷିତ ହୁଏ, ତେବେ ସେ ମୋʼ ନିକଟକୁ ଆସି ପାନ କରୁ।

38ଯେ ମୋʼ ଠାରେ ବିଶ୍ୱାସ କରେ, ଧର୍ମଶାସ୍ତ୍ରର ଉକ୍ତି ପ୍ରମାଣେ ତାହାର ଅନ୍ତରରୁ ଜୀବନ୍ତ ଜଳସ୍ରୋତ ପ୍ରବାହିତ ହେଉଥିବ।”

39ତାହାଙ୍କଠାରେ ବିଶ୍ୱାସକାରୀମାନେ ଯେଉଁ ଆତ୍ମା ପାଇବାକୁ ଯାଉଥିଲେ, ତାହାଙ୍କ ବିଷୟରେ ସେ ଏହା କହିଲେ, କାରଣ ଯୀଶୁ ସେପର୍ଯ୍ୟନ୍ତ ମହିମାପ୍ରାପ୍ତ ହୋଇ ନ ଥିବାରୁ ପବିତ୍ର ଆତ୍ମା ପ୍ରଦତ୍ତ ହୋଇ ନ ଥିଲେ।

40ଅତଏବ, ଲୋକସମୂହ ମଧ୍ୟରୁ କେହି କେହି ଏହି କଥା ଶୁଣି କହିବାକୁ ଲାଗିଲେ, ଏ ପ୍ରକୃତରେ ସେହି ଭାବବାଦୀ।

41ଅନ୍ୟମାନେ କହିବାକୁ ଲାଗିଲେ, ଏ ଖ୍ରୀଷ୍ଟ; କିନ୍ତୁ କେହି କେହି କହିବାକୁ ଲାଗିଲେ, କଅଣ! ଖ୍ରୀଷ୍ଟ ଗାଲିଲୀରୁ ଆସିବେ?

42ଖ୍ରୀଷ୍ଟ ଯେ ଦାଉଦଙ୍କ ବଂଶରୁ ଓ ଦାଉଦ ଯେଉଁଠାରେ ଥିଲେ, ସେହି ବେଥଲିହିମ ଗ୍ରାମରୁ ଆସିବେ, ଏହା କଅଣ ଧର୍ମଶାସ୍ତ୍ରର ବାକ୍ୟ କହି ନାହିଁ?

43ତେଣୁ ଲୋକସମୂହ ମଧ୍ୟରେ ତାହାଙ୍କ ହେତୁ ମତଭେଦ ଘଟିଲା;

44ଆଉ, ସେମାନଙ୍କ ମଧ୍ୟରୁ କେହି କେହି ତାହାଙ୍କୁ ଧରିବାକୁ ଇଚ୍ଛା କରୁଥିଲେ, କିନ୍ତୁ କେହି ତାହାଙ୍କ ଉପରେ ହାତ ଦେଲେ ନାହିଁ।

45ଇତିମଧ୍ୟରେ ପଦାତିକମାନେ ପ୍ରଧାନ ଯାଜକ ଓ ଫାରୂଶୀମାନଙ୍କ ନିକଟକୁ ବାହୁଡ଼ି ଆସିଲେ, ଆଉ ସେମାନେ ସେମାନଙ୍କୁ ପଚାରିଲେ, ତୁମ୍ଭେମାନେ କାହିଁକି ତାହାକୁ ଆଣିଲ ନାହିଁ?

46ପଦାତିକମାନେ ଉତ୍ତର ଦେଲେ, ଏହି ବ୍ୟକ୍ତି ଯେପ୍ରକାରେ କଥା କହନ୍ତି, କୌଣସି ମନୁଷ୍ୟ କେବେ ସେପ୍ରକାରେ କହି ନାହିଁ।

47ସେଥିରେ ଫାରୂଶୀମାନେ ସେମାନଙ୍କୁ ଉତ୍ତର ଦେଲେ, ତୁମ୍ଭେମାନେ ମଧ୍ୟ କଅଣ ଭ୍ରାନ୍ତ ହୋଇଅଛ?

48ନେତାମାନଙ୍କ ମଧ୍ୟରୁ କିମ୍ବା ଫାରୂଶୀମାନଙ୍କ ମଧ୍ୟରୁ କଅଣ କେହି ତାହାଙ୍କଠାରେ ବିଶ୍ୱାସ କରିଅଛନ୍ତି?

49କିନ୍ତୁ ଏହି ଯେଉଁ ଲୋକଗୁଡ଼ାକ ମୋଶାଙ୍କ ବ୍ୟବସ୍ଥା ଜାଣନ୍ତି ନାହିଁ, ସେମାନେ ଶାପଗ୍ରସ୍ତ।

50ଯେଉଁ ନୀକଦୀମ ଏଥିପୂର୍ବେ ତାହାଙ୍କ ନିକଟକୁ ଆସିଥିଲେ ଓ ଯେ ସେମାନଙ୍କ ମଧ୍ୟରେ ଜଣେ, ସେ ସେମାନଙ୍କୁ ପଚାରିଲେ,

51ଜଣେ ଲୋକଠାରୁ ପ୍ରଥମେ ନ ଶୁଣି ଓ ତାହାର ଆଚରଣ ବିଷୟ ନ ଜାଣି ଆମ୍ଭମାନଙ୍କର ମୋଶାଙ୍କ ବ୍ୟବସ୍ଥା କଅଣ ତାହାକୁ ଦୋଷୀ କରେ?

52ସେମାନେ ତାହାଙ୍କୁ ଉତ୍ତର ଦେଲେ, ତୁମ୍ଭେ ମଧ୍ୟ କଅଣ ଜଣେ ଗାଲିଲୀୟ ଲୋକ? ଗାଲିଲୀରୁ କୌଣସି ଭାବବାଦୀ ଉତ୍ପନ୍ନ ହୁଅନ୍ତି ନାହିଁ, ଏହା ଅନୁସନ୍ଧାନ କରି ଦେଖ।

53[ଆଉ ସେମାନେ ପ୍ରତ୍ୟେକେ ଆପଣା ଆପଣା ଗୃହକୁ ଚାଲିଗଲେ,

← ଯୋହନ 6 ଯୋହନ ଯୋହନ 8 →