We Believe JesusFé, Esperança e Nova Vida

ଯୋହନ 20

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଯୋହନ 19 ଯୋହନ ଯୋହନ 21 →

1ସପ୍ତାହର ପ୍ରଥମ ଦିନ20:1 ସପ୍ତାହର ପ୍ରଥମ ଦିନ ରବିବାର ଦିନ ପ୍ରତ୍ୟୁଷରେ ଅନ୍ଧକାର ଥାଉ ଥାଉ ମଗ୍‌ଦଲୀନୀ ମରୀୟମ ସମାଧି ନିକଟକୁ ଆସି ସେଥିରୁ ପଥର ଘୁଞ୍ଚାଯାଇଥିବା ଦେଖିଲେ।

2ତେଣୁ ସେ ଦୌଡ଼ିଯାଇ ଶିମୋନ ପିତର ଓ ଯୀଶୁ ଯାହାଙ୍କୁ ସ୍ନେହ କରୁଥିଲେ, ସେହି ଅନ୍ୟ ଶିଷ୍ୟଙ୍କ ନିକଟକୁ ଆସିଲେ, ଆଉ ସେମାନଙ୍କୁ କହିଲେ, ସେମାନେ ସମାଧିରୁ ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ପୁଣି, ତାହାଙ୍କୁ କେଉଁଠାରେ ରଖିଅଛନ୍ତି, ତାହା ଆମ୍ଭେମାନେ ଜାଣୁ ନାହୁଁ।

3ସେଥିରେ ପିତର ଓ ସେହି ଅନ୍ୟ ଶିଷ୍ୟ ସମାଧି ନିକଟକୁ ଯିବା ପାଇଁ ବାହାରିଲେ।

4ସେମାନେ ଦୁହେଁ ଏକସାଙ୍ଗରେ ଦୌଡ଼ିବାକୁ ଲାଗିଲେ, ଆଉ ସେହି ଅନ୍ୟ ଶିଷ୍ୟ ପିତରଙ୍କୁ ପଛରେ ପକାଇ ଆଗେ ସମାଧି ନିକଟରେ ପହଞ୍ଚିଲେ,

5ପୁଣି, ନଇଁପଡ଼ି ଭିତରକୁ ଚାହିଁ ସରୁ ସୂକ୍ଷ୍ମ ବସ୍ତ୍ର ପଡ଼ିଥିବା ଦେଖିଲେ, ତଥାପି ସେ ଭିତରେ ପଶିଲେ ନାହିଁ।

6ପରେ ଶିମୋନ ପିତର ମଧ୍ୟ ତାହାଙ୍କ ପଛେ ପଛେ ଆସି ପହଞ୍ଚିଲେ ଓ ସମାଧି ଭିତରେ ପ୍ରବେଶ କରି ଦେଖିଲେ ଯେ, ସରୁ ସୂକ୍ଷ୍ମ ବସ୍ତ୍ରଗୁଡ଼ିକ ପଡ଼ିଅଛି,

7ପୁଣି, ତାହାଙ୍କ ମୁଣ୍ଡରେ ଯେଉଁ ଗାମୁଛା ବନ୍ଧା ହୋଇଥିଲା, ତାହା ସରୁ ଲୁଗା ସହିତ ନ ଥାଇ ଅଲଗା ଗୋଟିଏ ସ୍ଥାନରେ ଗୁଡ଼ା ହୋଇ ରହିଅଛି।

8ସେତେବେଳେ ଯେଉଁ ଅନ୍ୟ ଶିଷ୍ୟ ଆଗେ ସମାଧି ନିକଟକୁ ଆସିଥିଲେ, ସେ ମଧ୍ୟ ଭିତରେ ପ୍ରବେଶ କରି ଦେଖିଲେ ଓ ବିଶ୍ୱାସ କଲେ;

9କାରଣ ମୃତମାନଙ୍କ ମଧ୍ୟରୁ ତାହାଙ୍କୁ ଯେ ପୁନରୁତ୍ଥାନ ହେବାକୁ ହେବ, ଧର୍ମଶାସ୍ତ୍ରର ଏହି ବାକ୍ୟ ସେମାନେ ସେପର୍ଯ୍ୟନ୍ତ ବୁଝି ନ ଥିଲେ।

10ପରେ ଶିଷ୍ୟମାନେ ପୁନର୍ବାର ସେମାନଙ୍କ ଗୃହକୁ ଚାଲିଗଲେ।

11କିନ୍ତୁ ମରୀୟମ ରୋଦନ କରୁ କରୁ ବାହାରେ ସମାଧି ନିକଟରେ ଠିଆ ହୋଇ ରହିଲେ; ପୁଣି, ରୋଦନ କରୁ କରୁ ସେ ନଇଁପଡ଼ି ସମାଧି ଭିତରକୁ ଚାହିଁ,

12ଯୀଶୁଙ୍କ ଶରୀର ଯେଉଁ ସ୍ଥାନରେ ରଖାଯାଇଥିଲା, ସେଥିର ମୁଣ୍ଡ ପାଖରେ ଜଣେ ଓ ପାଦ ପାଖରେ ଆଉ ଜଣେ, ଏହିପରି ଦୁଇ ଜଣ ଶୁକ୍ଳ ବସ୍ତ୍ର ପରିହିତ ଦୂତଙ୍କୁ ବସିଥିବା ଦେଖିଲେ।

13ସେମାନେ ତାହାଙ୍କୁ କହିଲେ, ଗୋ ନାରୀ, କାହିଁକି ରୋଦନ କରୁଅଛ? ସେ ସେମାନଙ୍କୁ କହିଲେ, କେଉଁମାନେ ମୋହର ପ୍ରଭୁଙ୍କୁ ଘେନିଯାଇଅଛନ୍ତି, ଆଉ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ତାହା ମୁଁ ଜାଣେ ନାହିଁ।

14ସେ ଏହା କହି ପଛକୁ ବୁଲିପଡ଼ି ଯୀଶୁଙ୍କୁ ଠିଆ ହୋଇଥିବା ଦେଖିଲେ, କିନ୍ତୁ ସେ ଯେ ଯୀଶୁ, ତାହା ଜାଣିଲେ ନାହିଁ।

15ଯୀଶୁ ତାହାଙ୍କୁ କହିଲେ, “ଗୋ ନାରୀ, କାହିଁକି ରୋଦନ କରୁଅଛ? କାହାର ଅନ୍ୱେଷଣ କରୁଅଛ?” ସେ ତାହାଙ୍କୁ ଉଦ୍ୟାନର ମାଳୀ ବୋଲି ମନେ କରି କହିଲେ, ମହାଶୟ, ଆପଣ ଯଦି ତାହାଙ୍କୁ ଘେନିଯାଇଅଛନ୍ତି, ତାହାହେଲେ ତାହାଙ୍କୁ କେଉଁ ସ୍ଥାନରେ ରଖିଅଛନ୍ତି, ମୋତେ କୁହନ୍ତୁ, ଆଉ ମୁଁ ତାହାଙ୍କୁ ଘେନିଯିବି।

16ଯୀଶୁ ତାହାଙ୍କୁ କହିଲେ, “ମରୀୟମ।” ସେ ବୁଲିପଡ଼ି ଏବ୍ରୀ ଭାଷାରେ ତାହାଙ୍କୁ କହିଲେ, ରାବ୍ବୂନୀ, ଅର୍ଥାତ୍‍, ହେ ଗୁରୁ।

17ଯୀଶୁ ତାହାଙ୍କୁ କହିଲେ, “ମୋତେ ଧରି ରଖ ନାହିଁ, କାରଣ ମୁଁ ଏପର୍ଯ୍ୟନ୍ତ ପିତାଙ୍କ ନିକଟକୁ ଆରୋହଣ କରି ନାହିଁ; କିନ୍ତୁ ମୋହର ଭାଇମାନଙ୍କ ନିକଟକୁ ଯାଇ ସେମାନଙ୍କୁ କୁହ, ‘ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ବର ଓ ତୁମ୍ଭମାନଙ୍କର ଈଶ୍ବରଙ୍କ ନିକଟକୁ ଆରୋହଣ କରୁଅଛି।’”

18ମଗ୍‌ଦଲୀନୀ ମରୀୟମ ଯାଇ, ମୁଁ ପ୍ରଭୁଙ୍କୁ ଦେଖିଅଛି, ଆଉ ସେ ମୋତେ ଏହିସବୁ କହିଅଛନ୍ତି ବୋଲି ଶିଷ୍ୟମାନଙ୍କୁ ସମ୍ବାଦ ଦେଲେ।

19ସେହି ଦିନ, ଅର୍ଥାତ୍‍, ସପ୍ତାହର ପ୍ରଥମ ଦିନ20:19 ସପ୍ତାହର ପ୍ରଥମ ଦିନ ରବିବାର ଦିନ ସନ୍ଧ୍ୟା ସମୟରେ ଯେତେବେଳେ ଶିଷ୍ୟମାନେ ଯେଉଁ ଗୃହରେ ଥିଲେ, ସେଥିର ଦ୍ୱାରଗୁଡ଼ିକ ଯିହୁଦୀମାନଙ୍କ ଭୟରେ ରୁଦ୍ଧ ଥିଲା, ସେତେବେଳେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ ସେମାନଙ୍କୁ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”

20ପୁଣି, ଏହା କହି ସେ ସେମାନଙ୍କୁ ଆପଣା ହସ୍ତ ଓ କକ୍ଷଦେଶ ଦେଖାଇଲେ। ସେଥିରେ ଶିଷ୍ୟମାନେ ପ୍ରଭୁଙ୍କୁ ଦେଖି ଆନନ୍ଦିତ ହେଲେ।

21ଯୀଶୁ ସେମାନଙ୍କୁ ପୁନର୍ବାର କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ; ପିତା ଯେପ୍ରକାରେ ମୋତେ ପ୍ରେରଣ କରିଅଛନ୍ତି, ମୁଁ ମଧ୍ୟ ସେପ୍ରକାରେ ତୁମ୍ଭମାନଙ୍କୁ ପ୍ରେରଣ କରୁଅଛି।”

22ସେ ଏହା କହି ସେମାନଙ୍କ ଉପରେ ପ୍ରଶ୍ୱାସ ଛାଡ଼ି ସେମାନଙ୍କୁ କହିଲେ, “ପବିତ୍ର ଆତ୍ମାଙ୍କୁ ଗ୍ରହଣ କର।

23ତୁମ୍ଭେମାନେ ଯଦି କାହାରି ପାପ କ୍ଷମା କରିବ, ତାହାର ପାପ କ୍ଷମା ହେବ; ପୁଣି, ଯଦି କାହାରି ପାପ କ୍ଷମା ନ କରିବ, ତାହାର ପାପ କ୍ଷମା ହେବ ନାହିଁ।”

24କିନ୍ତୁ ଯୀଶୁ ଯେତେବେଳେ ଆସିଥିଲେ, ସେତେବେଳେ ଦ୍ୱାଦଶଙ୍କ ମଧ୍ୟରୁ ଥୋମା ନାମକ ଜଣେ, ଯାହାଙ୍କୁ ଦିଦୁମ କହନ୍ତି, ସେ ସେମାନଙ୍କ ସାଙ୍ଗରେ ନ ଥିଲେ।

25ଅତଏବ, ଅନ୍ୟ ଶିଷ୍ୟମାନେ ତାହାଙ୍କୁ କହିଲେ, ଆମ୍ଭେମାନେ ପ୍ରଭୁଙ୍କୁ ଦେଖିଅଛୁ। କିନ୍ତୁ ସେ ସେମାନଙ୍କୁ କହିଲେ, ତାହାଙ୍କ ହାତରେ କଣ୍ଟାର ଚିହ୍ନସବୁ ନ ଦେଖିଲେ ଓ ସେହିସବୁ ସ୍ଥାନରେ ମୋହର ଅଙ୍ଗୁଳି ନ ଦେଲେ ଏବଂ ତାହାଙ୍କ କକ୍ଷଦେଶରେ ମୋହର ହାତ ନ ଦେଲେ ମୁଁ କଦାପି ବିଶ୍ୱାସ କରିବି ନାହିଁ।

26ଆଠ ଦିନ ପରେ ତାହାଙ୍କ ଶିଷ୍ୟମାନେ ପୁନର୍ବାର ଭିତରେ ଥିଲେ ଓ ଥୋମା ସେମାନଙ୍କ ସାଙ୍ଗରେ ଥିଲେ। ଦ୍ୱାରସବୁ ରୁଦ୍ଧ ଥିବା ସମୟରେ ଯୀଶୁ ଆସି ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, “ତୁମ୍ଭମାନଙ୍କର ଶାନ୍ତି ହେଉ।”

27ପରେ ସେ ଥୋମାଙ୍କୁ କହିଲେ, “ଏଆଡ଼େ ତୁମ୍ଭର ଅଙ୍ଗୁଳି ବଢ଼ାଇ ମୋହର ହାତ ଦେଖ ଓ ହାତ ବଢ଼ାଇ ମୋହର କକ୍ଷଦେଶରେ ଦିଅ; ଅବିଶ୍ୱାସୀ ନ ହୋଇ ବିଶ୍ୱାସୀ ହୁଅ।”

28ଥୋମା ତାହାଙ୍କୁ ଉତ୍ତର ଦେଲେ, ମୋହର ପ୍ରଭୁ, ମୋହର ଈଶ୍ବର।

29ଯୀଶୁ ତାହାଙ୍କୁ କହିଲେ, “ତୁମ୍ଭେ ମୋତେ ଦେଖିବାରୁ ବିଶ୍ୱାସ କରିଅଛ? ଯେଉଁମାନେ ନ ଦେଖି ବିଶ୍ୱାସ କରିଅଛନ୍ତି, ସେମାନେ ଧନ୍ୟ।”

30ଯୀଶୁ ଶିଷ୍ୟମାନଙ୍କ ସାକ୍ଷାତରେ ଏହିପରି ଅନେକ ଓ ବିଭିନ୍ନ ପ୍ରକାର ଆଶ୍ଚର୍ଯ୍ୟକର୍ମ ସାଧନ କଲେ, ସେହିସବୁ ଏହି ପୁସ୍ତକରେ ଲେଖା ହୋଇ ନାହିଁ;

31କିନ୍ତୁ ତୁମ୍ଭେମାନେ ଯେପରି ବିଶ୍ୱାସ କର ଯେ, ଯୀଶୁ ଈଶ୍ବରଙ୍କ ପୁତ୍ର ଖ୍ରୀଷ୍ଟ ଅଟନ୍ତି, ପୁଣି, ବିଶ୍ୱାସ କରି ଯେପରି ତୁମ୍ଭେମାନେ ତାହାଙ୍କ ନାମରେ ଜୀବନ ପ୍ରାପ୍ତ ହୁଅ, ଏଥିନିମନ୍ତେ ଏସମସ୍ତ ଲେଖାଯାଇଅଛି।

← ଯୋହନ 19 ଯୋହନ ଯୋହନ 21 →