We Believe JesusFé, Esperança e Nova Vida

ଯୋହନ 1

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

ଯୋହନ ଯୋହନ 2 →

1ସୃଷ୍ଟିର ପୂର୍ବରୁ ବାକ୍ୟ ଥିଲେ, ବାକ୍ୟ ଈଶ୍ବରଙ୍କ ସଙ୍ଗରେ ଥିଲେ, ସେହି ବାକ୍ୟ ଈଶ୍ବର ଥିଲେ।

2ସେ ଆଦ୍ୟରେ ଈଶ୍ବରଙ୍କ ସହିତ ଥିଲେ।

3ତାହାଙ୍କ ଦ୍ୱାରା ସମସ୍ତ ସୃଷ୍ଟ ହେଲା; ଆଉ ଯେ ସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ।

4ତାହାଙ୍କଠାରେ ଜୀବନ ଥିଲା ଓ ସେହି ଜୀବନ ମନୁଷ୍ୟମାନଙ୍କର ଜ୍ୟୋତିଃ।

5ସେହି ଜ୍ୟୋତିଃ ଅନ୍ଧକାରରେ ଜାଜ୍ୱଲ୍ୟମାନ ହୋଇ ଆସୁଅଛି, ଆଉ ଅନ୍ଧକାର ତାହା ଗ୍ରହଣ କରି ନାହିଁ।

6ଈଶ୍ବରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ; ତାହାଙ୍କ ନାମ ଯୋହନ।

7ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି, ତାହାଙ୍କ ଦ୍ୱାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।

8ସେ ନିଜେ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ।

9ଯେଉଁ ସତ୍ୟ ଜ୍ୟୋତିଃ ପ୍ରତ୍ୟେକ ମନୁଷ୍ୟକୁ ଆଲୋକ ପ୍ରଦାନ କରନ୍ତି, ସେ ଜଗତକୁ ଆସୁଥିଲେ।

10ସେ ଜଗତରେ ଥିଲେ ଓ ଜଗତ ତାହାଙ୍କ ଦ୍ୱାରା ସୃଷ୍ଟ ହେଲା, ତଥାପି ଜଗତ ତାହାଙ୍କୁ ଚିହ୍ନିଲା ନାହିଁ।

11ସେ ଆପଣା ରାଜ୍ୟକୁ ଆସିଲେ, ତଥାପି ତାହାଙ୍କର ନିଜ ଲୋକମାନେ ତାହାଙ୍କୁ ଗ୍ରହଣ କଲେ ନାହିଁ।

12ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍‍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ବରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ;

13ସେମାନେ ରକ୍ତରୁ, ଶରୀରର ଇଚ୍ଛାରୁ ଅବା ମନୁଷ୍ୟର ଇଚ୍ଛାରୁ ଜାତ ହେଲେ ନାହିଁ, ବରଂ ଈଶ୍ବରଙ୍କଠାରୁ ଜାତ ହେଲେ।

14ଆଉ, ସେହି ବାକ୍ୟ ଦେହବନ୍ତ ହେଲେ, ପୁଣି, ଅନୁଗ୍ରହ ଓ ସତ୍ୟରେ ପରିପୂର୍ଣ୍ଣ ହୋଇ ଆମ୍ଭମାନଙ୍କ ମଧ୍ୟରେ ବାସ କଲେ, ଆଉ ପିତାଙ୍କଠାରୁ ଆଗତ ଅଦ୍ୱିତୀୟ ପୁତ୍ରଙ୍କ ମହିମା ସଦୃଶ ଆମ୍ଭେମାନେ ତାହାଙ୍କ ମହିମା ଦେଖିଲୁ।

15ଯୋହନ ତାହାଙ୍କ ବିଷୟରେ ସାକ୍ଷ୍ୟ ଦେଇ ଉଚ୍ଚସ୍ୱରରେ କହିଲେ, ଯେ ମୋʼ ଉତ୍ତାରେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।

16ଏଣୁ ତାହାଙ୍କ ପୂର୍ଣ୍ଣତାରୁ ଆମ୍ଭେମାନେ ସମସ୍ତେ ପ୍ରାପ୍ତ ହୋଇଅଛୁ, ହଁ, ଅନୁଗ୍ରହ ଉପରେ ଅନୁଗ୍ରହପ୍ରାପ୍ତ ହୋଇଅଛୁ।

17କାରଣ ବ୍ୟବସ୍ଥା ମୋଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, କିନ୍ତୁ ଅନୁଗ୍ରହ ଓ ସତ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଉପସ୍ଥିତ ହେଲା।

18କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ, ପିତାଙ୍କ କୋଳସ୍ଥିତ ଅଦ୍ୱିତୀୟ ପୁତ୍ର ତାହାଙ୍କୁ ପ୍ରକାଶ କଲେ।

19ଆପଣ କିଏ, ଏହା ଯୋହନଙ୍କୁ ପଚାରିବା ନିମନ୍ତେ ଯିହୁଦୀ ନେତାମାନେ ଯେତେବେଳେ ଯିରୂଶାଲମ ସହରରୁ ଯାଜକ ଓ ଲେବୀୟମାନଙ୍କୁ ତାହାଙ୍କ ନିକଟକୁ ପଠାଇଲେ, ସେତେବେଳେ ସେ ଏହି ସାକ୍ଷ୍ୟ ଦେଲେ,

20ସେ ସ୍ୱୀକାର କଲେ, ଅସ୍ୱୀକାର କଲେ ନାହିଁ; ସେ ସ୍ୱୀକାର କଲେ, ମୁଁ ଖ୍ରୀଷ୍ଟ ନୁହେଁ।

21ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ତେବେ କଅଣ? ଆପଣ କଅଣ ଏଲୀୟ?

22ସେଥିରେ ସେମାନେ ତାହାଙ୍କୁ କହିଲେ, ଆମ୍ଭମାନଙ୍କୁ ପଠାଇଥିବା ଲୋକଙ୍କୁ ଯେପରି ଉତ୍ତର ଦେଇପାରୁ, ଏଥିସକାଶେ ଆପଣ କିଏ? ଆପଣ ନିଜ ବିଷୟରେ କଅଣ କହୁଅଛନ୍ତି?

23ସେ କହିଲେ, “ଯିଶାଇୟ ଭାବବାଦୀ ଯେପରି କହିଥିଲେ, ‘ମୁଁ ସେହି ପ୍ରକାର ମରୁପ୍ରାନ୍ତରରେ ଉଚ୍ଚ ଶବ୍ଦ କରୁଥିବା ଜଣକର ସ୍ୱର, ପ୍ରଭୁଙ୍କ ପଥ ସଳଖ କର।’”

24ପୁଣି, ଫାରୂଶୀମାନଙ୍କ ମଧ୍ୟରୁ କେତେକ ଜଣ ପ୍ରେରିତ ହୋଇଥିଲେ।

25ସେମାନେ ତାହାଙ୍କୁ ପଚାରିଲେ, ଆପଣ ଯଦି ଖ୍ରୀଷ୍ଟ ବା ଏଲୀୟ ବା ସେହି ଭାବବାଦୀ ନୁହଁନ୍ତି, ତାହାହେଲେ କାହିଁକି ବାପ୍ତିସ୍ମ ଦେଉଅଛନ୍ତି?

26ଯୋହନ ସେମାନଙ୍କୁ ଉତ୍ତର ଦେଲେ, ମୁଁ ଜଳରେ ବାପ୍ତିସ୍ମ ଦେଉଅଛି; ଯାହାଙ୍କୁ ତୁମ୍ଭେମାନେ ଜାଣ ନାହିଁ, ସେ ତୁମ୍ଭମାନଙ୍କ ମଧ୍ୟରେ ବିଦ୍ୟମାନ;

27ସେ ମୋʼ ଉତ୍ତାରେ ଆସୁଅଛନ୍ତି, ତାହାଙ୍କ ପାଦୁକାର ବନ୍ଧନ ଫିଟାଇବାକୁ ମୁଁ ଯୋଗ୍ୟ ନୁହେଁ।

28ଯର୍ଦ୍ଦନ ନଦୀର ପରପାରସ୍ଥ ଯେଉଁ ବେଥନୀୟାରେ ଯୋହନ ବାପ୍ତିସ୍ମ ଦେଉଥିଲେ, ସେହି ସ୍ଥାନରେ ଏହିସବୁ ଘଟିଲା।

29ତହିଁ ଆରଦିନ ସେ ଯୀଶୁଙ୍କୁ ନିଜ ପାଖକୁ ଆସୁଥିବା ଦେଖି କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ, ଯେ ଜଗତର ପାପ ବୋହିନେଇଯାଆନ୍ତି।

30ମୋʼ ଉତ୍ତାରେ ଯେ ଆସୁଅଛନ୍ତି, ସେ ମୋହର ଅଗ୍ରଗଣ୍ୟ ହୋଇଅଛନ୍ତି, କାରଣ ସେ ମୋହର ପୂର୍ବରେ ଥିଲେ, ଯାହାଙ୍କ ବିଷୟରେ ମୁଁ ଏହା କହିଥିଲି, ସେ ଏହି।

31ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, କିନ୍ତୁ ସେ ଯେପରି ଇସ୍ରାଏଲ ନିକଟରେ ପ୍ରକାଶିତ ହୁଅନ୍ତି, ଏଥିସକାଶେ ମୁଁ ଜଳରେ ବାପ୍ତିସ୍ମ ଦେବାକୁ ଆସିଅଛି।

32ଆଉ, ଯୋହନ ସାକ୍ଷ୍ୟ ଦେଇ କହିଲେ, ମୁଁ ପବିତ୍ର ଆତ୍ମାଙ୍କୁ କପୋତ ପରି ଆକାଶରୁ ଅବତରଣ କରିବା ଦେଖିଅଛି, ଆଉ ସେ ତାହାଙ୍କ ଉପରେ ଅବସ୍ଥାନ କଲେ।

33ମୁଁ ମଧ୍ୟ ତାହାଙ୍କୁ ଚିହ୍ନି ନ ଥିଲି, ମାତ୍ର ଯେ ମୋତେ ଜଳରେ ବାପ୍ତିସ୍ମ ଦେବାକୁ ପଠାଇଲେ, ସେ ମୋତେ କହିଲେ, ଯାହାଙ୍କ ଉପରେ ଆତ୍ମାଙ୍କୁ ଅବତରଣ ଓ ଅବସ୍ଥାନ କରିବା ଦେଖିବ, ଯେ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି, ସେ ସେହି ବ୍ୟକ୍ତି।

34ଆଉ, ମୁଁ ତାହା ଦେଖିଅଛି ଓ ସେ ଈଶ୍ବରଙ୍କ ପୁତ୍ର ବୋଲି ସାକ୍ଷ୍ୟ ଦେଇଅଛି।

35ତହିଁ ଆରଦିନ ପୁନର୍ବାର ଯୋହନ ଓ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣ ଠିଆ ହୋଇଥିଲେ;

36ଆଉ, ସେ ଯୀଶୁଙ୍କୁ ସେହି ବାଟ ଦେଇ ଯାଉଥିବା ଦେଖି ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲେ, ଏହି ଦେଖ, ଈଶ୍ବରଙ୍କ ମେଷଶାବକ।

37ସେହି ଦୁଇ ଜଣ ଶିଷ୍ୟ ତାହାଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଗଲେ।

38ଯୀଶୁ ବୁଲିପଡ଼ି ସେମାନଙ୍କୁ ପଛେ ପଛେ ଆସୁଥିବା ଦେଖି ପଚାରିଲେ, “ତୁମ୍ଭେମାନେ କଅଣ ଖୋଜୁଅଛ?”

39ସେ ସେମାନଙ୍କୁ କହିଲେ, “ଆସ, ଦେଖିବ।”

40ଯେଉଁ ଦୁଇ ଜଣ ଯୋହନଙ୍କ କଥା ଶୁଣି ଯୀଶୁଙ୍କ ପଛେ ପଛେ ଯାଇଥିଲେ, ସେମାନଙ୍କ ମଧ୍ୟରୁ ଜଣେ ଶିମୋନ ପିତରଙ୍କ ଭାଇ ଆନ୍ଦ୍ରିୟ ଥିଲେ।

41ସେ ପ୍ରଥମେ ଆପଣା ଭାଇ ଶିମୋନଙ୍କ ଦେଖା ପାଇ ତାହାଙ୍କୁ କହିଲେ, ଆମ୍ଭେମାନେ ମସୀହଙ୍କର (ଅର୍ଥାତ୍‍ ଖ୍ରୀଷ୍ଟଙ୍କୁ) ଦେଖା ପାଇଅଛୁ।

42ସେ ତାହାଙ୍କୁ ଯୀଶୁଙ୍କ ନିକଟକୁ ଆଣିଲେ।

43ତହିଁ ଆରଦିନ ଯୀଶୁ ଗାଲିଲୀକୁ ବାହାରିଯିବା ପାଇଁ ଇଚ୍ଛା କଲେ, ଆଉ ସେ ଫିଲିପ୍ପଙ୍କ ଦେଖା ପାଇ ତାହାଙ୍କୁ କହିଲେ, “ମୋହର ଅନୁଗମନ କର।”

44ଫିଲିପ୍ପ ବେଥ୍‌ସାଇଦାର ଲୋକ ଥିଲେ, ତାହା ଆନ୍ଦ୍ରିୟ ଓ ପିତରଙ୍କର ନଗର ଥିଲା।

45ଫିଲିପ୍ପ ନିଥନିୟେଲଙ୍କୁ ଦେଖା ପାଇ ତାହାଙ୍କୁ କହିଲେ, ଯାହାଙ୍କ ବିଷୟରେ ମୋଶା ବ୍ୟବସ୍ଥାରେ ଲେଖିଅଛନ୍ତି, ପୁଣି, ଭାବବାଦୀମାନେ ମଧ୍ୟ ଲେଖିଅଛନ୍ତି, ଆମ୍ଭେମାନେ ତାହାଙ୍କର ଦେଖା ପାଇଅଛୁ; ସେ ଯୋଷେଫଙ୍କ ପୁତ୍ର ନାଜରିତୀୟ ଯୀଶୁ।

46ନିଥନିୟେଲ ତାହାଙ୍କୁ ପଚାରିଲେ, “ନାଜରିତରୁ କି କୌଣସି ଉତ୍ତମ ବିଷୟ ଉତ୍ପନ୍ନ ହୋଇପାରେ?”

47ଯୀଶୁ ନିଥନିୟେଲଙ୍କୁ ଆପଣା ନିକଟକୁ ଆସୁଥିବା ଦେଖି ତାହାଙ୍କ ବିଷୟରେ କହିଲେ, “ଏହି ଦେଖ, ପ୍ରକୃତରେ ଏ ଜଣେ ଇସ୍ରାଏଲୀୟ ଲୋକ, ଏହାଙ୍କଠାରେ ଛଳନା ନାହିଁ।”

48ନିଥନିୟେଲ ତାହାଙ୍କୁ ପଚାରିଲେ, ଆପଣ ମୋତେ କିପରି ଚିହ୍ନିଲେ? ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ଫିଲିପ୍ପ ତୁମ୍ଭକୁ ଡାକିବା ପୂର୍ବେ ତୁମ୍ଭେ ଯେତେବେଳେ ଡିମ୍ବିରିବୃକ୍ଷ ତଳେ ଥିଲ, ସେତେବେଳେ ମୁଁ ତୁମ୍ଭକୁ ଦେଖିଥିଲି।”

49ନିଥନିୟେଲ ତାହାଙ୍କୁ ଉତ୍ତର ଦେଲେ, ହେ ଗୁରୁ ଆପଣ ଈଶ୍ବରଙ୍କ ପୁତ୍ର, ଆପଣ ଇସ୍ରାଏଲର ରାଜା।

50ଯୀଶୁ ତାହାଙ୍କୁ ଉତ୍ତର ଦେଲେ, “ମୁଁ ତୁମ୍ଭକୁ ଡିମ୍ବିରିବୃକ୍ଷ ତଳେ ଦେଖିଥିଲି ବୋଲି କହିବାରୁ କି ତୁମ୍ଭେ ବିଶ୍ୱାସ କରୁଅଛ? ତୁମ୍ଭେ ଏହାଠାରୁ ଆହୁରି ମହତ‍୍-ମହତ‍୍ ବିଷୟ ଦେଖିବ।”

51ପୁଣି, ସେ ତାହାଙ୍କୁ କହିଲେ, “ସତ୍ୟ ସତ୍ୟ ମୁଁ ତୁମ୍ଭମାନଙ୍କୁ କହୁଅଛି, ତୁମ୍ଭେମାନେ ସ୍ୱର୍ଗକୁ ଉନ୍ମୁକ୍ତ ଓ ଈଶ୍ବରଙ୍କ ଦୂତମାନଙ୍କୁ ମନୁଷ୍ୟପୁତ୍ରଙ୍କ ଉପରେ ଆରୋହଣ ଓ ଅବତରଣ କରିବା ଦେଖିବ।”

ଯୋହନ ଯୋହନ 2 →