We Believe JesusFé, Esperança e Nova Vida

ଫିଲିପ୍‌ପୀୟ 3

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଫିଲିପ୍‌ପୀୟ 2 ଫିଲିପ୍‌ପୀୟ ଫିଲିପ୍‌ପୀୟ 4 →

1ଅବଶେଷରେ, ହେ ମୋହର ଭାଇମାନେ, ପ୍ରଭୁଙ୍କଠାରେ ଆନନ୍ଦ କର। ଏକ-ପ୍ରକାର କଥା ତୁମ୍ଭମାନଙ୍କ ନିକଟକୁ ଥରକୁଥର ଲେଖିବା ମୋʼ ପ୍ରତି କ୍ଳାନ୍ତିଜନକ ନୁହେଁ, ବରଂ ସେହିସବୁ ତୁମ୍ଭମାନଙ୍କ ନିମନ୍ତେ ନିଷ୍ଠାଜନକ।

2କୁକୁରମାନଙ୍କଠାରୁ3:2 କୁକୁରମାନଙ୍କଠାରୁ ଏହାର ଅର୍ଥ ଭଣ୍ଡ ଶିକ୍ଷକମାନେ ସାବଧାନ, ଦୁଷ୍ଟ କାର୍ଯ୍ୟକାରୀମାନଙ୍କଠାରୁ ସାବଧାନ, ସୁନ୍ନତବାଦୀ ଲୋକମାନଙ୍କଠାରୁ ସାବଧାନ;

3କାରଣ ଆମ୍ଭେମାନେ ପ୍ରକୃତରେ ସୁନ୍ନତ ପ୍ରାପ୍ତ, ଆମ୍ଭେମାନେ ଈଶ୍ବରଙ୍କ ଆତ୍ମାରେ ଉପାସନା କରୁ, ପୁଣି, ବାହ୍ୟିକ ବିଷୟ ଉପରେ ନିର୍ଭର ନ କରି ଖ୍ରୀଷ୍ଟ ଯୀଶୁଙ୍କଠାରେ ଦର୍ପ କରୁ।

4ମୁଁ ତ ବାହ୍ୟିକ ବିଷୟ ଉପରେ ମଧ୍ୟ ନିର୍ଭର କରିପାରନ୍ତି; ଯଦି ଅନ୍ୟ କେହି ବାହ୍ୟିକ ବିଷୟ ଉପରେ ନିର୍ଭର କରିପାରେ ବୋଲି ମନେ କରେ, ତେବେ ମୁଁ ଅଧିକ କରିପାରେ;

5ମୁଁ ଅଷ୍ଟମ ଦିନରେ ସୁନ୍ନତ ପ୍ରାପ୍ତ, ଇସ୍ରାଏଲ ବଂଶଜାତ, ବିନ୍ୟାମୀନ୍ ଗୋଷ୍ଠୀୟ, ଏବ୍ରୀୟ-ରକ୍ତଜାତ ଜଣେ ଏବ୍ରୀୟ, ମୋଶାଙ୍କ ବ୍ୟବସ୍ଥା ପାଳନ ସମ୍ବନ୍ଧରେ ଜଣେ ଫାରୂଶୀ,

6ଉଦ୍‌ଯୋଗ ସମ୍ବନ୍ଧରେ ମଣ୍ଡଳୀର ଜଣେ ତାଡ଼ନାକାରୀ, ପୁଣି, ମୋଶାଙ୍କ ବ୍ୟବସ୍ଥାଗତ ଧାର୍ମିକତା ସମ୍ବନ୍ଧରେ ନିର୍ଦ୍ଦୋଷ ଦେଖାଯାଇଥିଲି।

7କିନ୍ତୁ ଯାହାସବୁ ମୋʼ ପକ୍ଷରେ ଲାଭଜନକ ଥିଲା, ସେହିସବୁ ମୁଁ ଖ୍ରୀଷ୍ଟଙ୍କ ନିମନ୍ତେ କ୍ଷତିଜନକ ବୋଲି ଗଣ୍ୟ କରିଅଛି।

8ହଁ, ପ୍ରକୃତରେ ମୁଁ ମୋହର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ଜ୍ଞାନର ଉତ୍କୃଷ୍ଟତା ନିମନ୍ତେ ସମସ୍ତ ବିଷୟ କ୍ଷତିଜନକ ବୋଲି ଗଣ୍ୟ କରେ; ତାହାଙ୍କ ନିମନ୍ତେ ମୁଁ ସମସ୍ତ ବିଷୟର କ୍ଷତି ସହ୍ୟ କଲି, ପୁଣି, ସେହିସବୁ ଆବର୍ଜନା ସ୍ୱରୂପ ଗଣ୍ୟ କରେ, ଯେପରି ମୁଁ ଖ୍ରୀଷ୍ଟଙ୍କୁ ଲାଭ କରିପାରେ ଓ ତାହାଙ୍କର ବୋଲି ଜଣାଯାଏ,

9ପୁଣି, ମୋଶାଙ୍କ ବ୍ୟବସ୍ଥା ପାଳନ ହେତୁ ନିଜର ଧାର୍ମିକତା ପ୍ରାପ୍ତ ନ ହୋଇ ବରଂ ଯେପରି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ଈଶ୍ବରଦତ୍ତ ବିଶ୍ୱାସମୂଳକ ଧାର୍ମିକତା ପ୍ରାପ୍ତ ହୁଏ,

10ଯେପରି ମୁଁ ତାହାଙ୍କୁ, ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖଭୋଗର ସହଭାଗିତା ଜ୍ଞାତ ହୁଏ,

11ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ।

12ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି, ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡ଼ୁଅଛି।

13ହେ ଭାଇମାନେ, ମୁଁ ଏପର୍ଯ୍ୟନ୍ତ ତାହା ଧରିଅଛି ବୋଲି ମନେ କରୁ ନାହିଁ, କିନ୍ତୁ ଗୋଟିଏ ବିଷୟ ମୁଁ କରୁଅଛି,

14ପଶ୍ଚାତ୍‍ ବିଷୟସବୁ ମନରୁ ଦୂର କରି ସମ୍ମୁଖରେ ଥିବା ବିଷୟଗୁଡ଼ିକ ପ୍ରତି ଦୃଷ୍ଟି ରଖି ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ବରଙ୍କ ସ୍ୱର୍ଗୀୟ ଆହ୍ୱାନର ପୁରସ୍କାର ପାଇବା ନିମନ୍ତେ ପ୍ରାଣପଣ କରି ଲକ୍ଷ୍ୟ ସ୍ଥଳକୁ ଦୌଡ଼ୁଅଛି।

15ଅତଏବ, ଆସ, ଆମ୍ଭେମାନେ ଯେତେ ଲୋକ ସିଦ୍ଧ, ଏହିପରି ଭାବ ଧାରଣ କରୁ, ଆଉ ଯଦି କୌଣସି ବିଷୟରେ ତୁମ୍ଭମାନଙ୍କର ଭାବ ଭିନ୍ନ ପ୍ରକାର ଥାଏ, ତେବେ ଏହା ମଧ୍ୟ ଈଶ୍ବର ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରିବେ;

16କେବଳ, ଆମ୍ଭେମାନେ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ।

17ହେ ଭ୍ରାତୃଗଣ, ତୁମ୍ଭେମାନେ ଏକତ୍ର ମିଳି ମୋହର ଅନୁକାରୀ ହୁଅ, ପୁଣି, ଆମ୍ଭମାନଙ୍କଠାରେ ଯେଉଁ ଆଦର୍ଶ ଦେଖୁଅଛ, ଯେଉଁମାନେ ତଦନୁଯାୟୀ ଆଚରଣ କରନ୍ତି, ସେମାନଙ୍କ ପ୍ରତି ଦୃଷ୍ଟି କର।

18କାରଣ ଏପରି ଅନେକ ଅଛନ୍ତି, ଯେଉଁମାନଙ୍କର ଆଚରଣ ବିଷୟରେ ମୁଁ ତୁମ୍ଭମାନଙ୍କୁ ଥରକୁଥର କହିଅଛି, ଆଉ ବର୍ତ୍ତମାନ ମଧ୍ୟ କାନ୍ଦି କାନ୍ଦି କହୁଅଛି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ;

19ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା, ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି, ପାର୍ଥିବ ବିଷୟଗୁଡ଼ିକରେ ଆସକ୍ତ ଅଟନ୍ତି।

20ଆମ୍ଭେମାନେ ତ ସ୍ୱର୍ଗର ପ୍ରଜା, ସେ ସ୍ଥାନରୁ ମଧ୍ୟ ଆମ୍ଭେମାନେ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆଗମନର ଅପେକ୍ଷାରେ ଅଛୁ;

21ସେ ଆପଣାର ଯେଉଁ କାର୍ଯ୍ୟସାଧକ ଶକ୍ତି ଦ୍ୱାରା ସମସ୍ତ ବିଷୟକୁ ନିଜର ବଶୀଭୂତ କରିପାରନ୍ତି, ତଦ୍ୱାରା ଆମ୍ଭମାନଙ୍କର ଛାର ଶରୀରକୁ ରୂପାନ୍ତରିତ କରି ଆପଣାର ଗୌରବମୟ ଶରୀରର ସଦୃଶ କରିବେ।

← ଫିଲିପ୍‌ପୀୟ 2 ଫିଲିପ୍‌ପୀୟ ଫିଲିପ୍‌ପୀୟ 4 →