We Believe JesusFé, Esperança e Nova Vida

ଆଦି ପୁସ୍ତକ 33

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ଆଦି ପୁସ୍ତକ 32 ଆଦି ପୁସ୍ତକ ଆଦି ପୁସ୍ତକ 34 →

1ଏଥିଉତ୍ତାରେ ଯାକୁବ ଅନାଇ ଦେଖିଲା, ଆଉ ଦେଖ, ଏଷୌ ଉପସ୍ଥିତ, ପୁଣି, ତାହା ସଙ୍ଗେ ଚାରି ଶହ ପୁରୁଷ। ତହିଁରେ ସେ ଆପଣା ସନ୍ତାନମାନଙ୍କୁ ବିଭାଗ କରି ଲେୟା ଓ ରାହେଲ ଓ ଦୁଇ ଦାସୀଙ୍କ ନିକଟରେ ସମର୍ପଣ କଲା,

2ଅର୍ଥାତ୍‍, ଆଗେ ଦୁଇ ଦାସୀ ଓ ସେମାନଙ୍କ ସନ୍ତାନଗଣକୁ, ତାହା ପଛେ ଲେୟା ଓ ତାହାର ସନ୍ତାନଗଣକୁ, ସର୍ବଶେଷରେ ରାହେଲ ଓ ଯୋଷେଫକୁ ରଖିଲା।

3ପୁଣି, ଆପେ ସମସ୍ତଙ୍କ ଆଗେ ଯାଇ ସାତ ଥର ଭୂମିଷ୍ଠ ପ୍ରଣାମ କରୁ କରୁ ଆପଣା ଭ୍ରାତା ନିକଟରେ ଉପସ୍ଥିତ ହେଲା।

4ସେତେବେଳେ ଏଷୌ ତାହାକୁ ଭେଟିବାକୁ ଧାଇଁ ଆସି ତାହାର ଗଳା ଧରି ଆଲିଙ୍ଗନ ଓ ଚୁମ୍ବନ କଲା, ପୁଣି, ଦୁହେଁ ରୋଦନ କଲେ।

5ଏଉତ୍ତାରେ ସେ ଅନାଇ ସ୍ତ୍ରୀଗଣକୁ ଓ ବାଳକଗଣକୁ ଦେଖି ପଚାରିଲା, “ତୁମ୍ଭ ସଙ୍ଗେ ଏମାନେ କିଏ?” ତହିଁରେ ସେ କହିଲା, “ପରମେଶ୍ୱର କୃପା କରି ଆପଣଙ୍କ ଦାସକୁ ଏହି ସମସ୍ତ ସନ୍ତାନ ଦେଇଅଛନ୍ତି।”

6ତହୁଁ ଦାସୀଗଣ ଓ ସେମାନଙ୍କ ସନ୍ତାନମାନେ ନିକଟକୁ ଆସି ପ୍ରଣାମ କଲେ।

7ତହିଁ ପଛେ ଲେୟା ଓ ତାହାର ସନ୍ତାନମାନେ ଆସି ପ୍ରଣାମ କଲେ; ସର୍ବଶେଷରେ ଯୋଷେଫ ଓ ରାହେଲ ନିକଟକୁ ଆସି ପ୍ରଣାମ କଲେ।

8ତହିଁରେ ଏଷୌ ପଚାରିଲା, “ମୁଁ ଆଗେ ଯେଉଁସବୁ (ପଶ୍ୱାଦି) ଦଳ ସହିତ ଭେଟିଲି; ତାହା କି ନିମନ୍ତେ?” ଯାକୁବ କହିଲା, “ମୋʼ ପ୍ରଭୁଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବା ନିମନ୍ତେ।”

9ତହୁଁ ଏଷୌ କହିଲା, “ମୋହର ଯଥେଷ୍ଟ ଅଛି; ଭାଇ, ତୁମ୍ଭର ଯାହା ଅଛି, ତାହା ତୁମ୍ଭର ଥାଉ।”

10ଯାକୁବ କହିଲା, “ନା, ବିନୟ କରୁଅଛି, ମୁଁ ଆପଣଙ୍କ ଦୃଷ୍ଟିରେ ଯଦି ଅନୁଗ୍ରହ ପାଇଲି, ତେବେ ମୋʼ ହସ୍ତରୁ ସେହି ଭେଟି ଗ୍ରହଣ କରନ୍ତୁ; କାରଣ ପରମେଶ୍ୱରଙ୍କ ମୁଖ ଦର୍ଶନ କଲା ପରି ମୁଁ ଆପଣଙ୍କ ମୁଖ ଦର୍ଶନ କରିଅଛି; ମଧ୍ୟ ଆପଣ ମୋʼ ପ୍ରତି ପ୍ରସନ୍ନ ହୋଇଅଛନ୍ତି।

11ଏଣୁ ନିବେଦନ କରୁଅଛି, ଆପଣଙ୍କ ନିକଟକୁ ଆନୀତ ଏହି ଆଶୀର୍ବାଦ ଗ୍ରହଣ କରନ୍ତୁ; କାରଣ ପରମେଶ୍ୱର ମୋତେ ଅନୁଗ୍ରହ କରିଅଛନ୍ତି, ପୁଣି, ମୋହର ସବୁ ଅଛି।” ଏହିରୂପେ ଅତ୍ୟନ୍ତ ଆଗ୍ରହ ସହିତ ପ୍ରାର୍ଥନା କରନ୍ତେ, ଏଷୌ ତାହା ଗ୍ରହଣ କଲା।

12ଏଥିଉତ୍ତାରେ ଏଷୌ କହିଲା, “ଆସ, ଆମ୍ଭେମାନେ ଯିବା, ମୁଁ ତୁମ୍ଭମାନଙ୍କ ଆଗେ ଆଗେ ଯାଉଅଛି।”

13ତହିଁରେ ଯାକୁବ କହିଲା, “ମୋହର ପ୍ରଭୁ ଜାଣନ୍ତି, ଏହି ବାଳକମାନେ କୋମଳ, ଆଉ ଦୁଗ୍ଧବତୀ ମେଷୀ ଓ ଗାଭୀ ମୋʼ ସଙ୍ଗରେ ଅଛନ୍ତି; ଦିନେ ଅଧିକ ଚଳାଇଲେ ସବୁ ପଲ ମରିଯିବେ।

14ଏଣୁ ନିବେଦନ କରୁଅଛି, ମୋହର ପ୍ରଭୁ ଆପଣା ଦାସର ଆଗେ ଆଗେ ଗମନ କରନ୍ତୁ; ସେୟୀର ପ୍ରଦେଶରେ ମୋʼ ପ୍ରଭୁଙ୍କ ନିକଟରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ମୁଁ ପଶୁଗଣର ଗମନ ଶକ୍ତି ଅନୁସାରେ ଓ ବାଳକଗଣର ଗମନ ଶକ୍ତି ଅନୁସାରେ ଧୀରେ ଧୀରେ ଚଳାଇ ନେବି।”

15ଏଷୌ କହିଲା, “ତେବେ ମୋʼ ସଙ୍ଗୀ କେତେକ ଲୋକଙ୍କୁ ତୁମ୍ଭ ନିକଟରେ ରଖି ଯାଉଅଛି।” ଯାକୁବ କହିଲା, “କି ପ୍ରୟୋଜନ? ମୋʼ ପ୍ରତି କେବଳ ପ୍ରଭୁଙ୍କର ଅନୁଗ୍ରହ ଦୃଷ୍ଟି ଥାଉ।”

16ତହଁରେ ଏଷୌ ସେହି ଦିନ ସେୟୀର ପଥ ଦେଇ ବାହୁଡ଼ି ଗଲା।

17ମାତ୍ର ଯାକୁବ ସୁକ୍କୋତକୁ ଗମନ କରି ଆପଣା ପାଇଁ ଗୃହ ଓ ପଶୁମାନଙ୍କ ନିମନ୍ତେ କୁଡ଼ିଆ ନିର୍ମାଣ କଲା; ଏଥିପାଇଁ ଏହି ସ୍ଥାନ ସୁକ୍କୋତ33:17 କୁଡ଼ିଆ ନାମରେ ବିଖ୍ୟାତ ହୋଇଅଛି।

18ଏହି ପ୍ରକାରେ ଯାକୁବ ପଦ୍ଦନ୍‍ ଅରାମଠାରୁ ବାହାରି କୁଶଳରେ କିଣାନ ଦେଶସ୍ଥ ଶିଖିମର ଏକ ନଗରରେ ଉପସ୍ଥିତ ହୋଇ ନଗରର ବାହାରେ ତମ୍ବୁ ସ୍ଥାପନ କଲା।

19ଏଥିଉତ୍ତାରେ ଶିଖିମର ପିତା ହମୋରର ସନ୍ତାନମାନଙ୍କୁ ଏକ ଶହ କସୀତା ରୌପ୍ୟ ମୁଦ୍ରା ଦେଇ ସେହି ତମ୍ବୁ ସ୍ଥାପନର ଭୂମିଖଣ୍ଡ କିଣିଲା।

20ପୁଣି, ସେଠାରେ ଏକ ବେଦି ନିର୍ମାଣ କରି ତାହାର ନାମ ଏଲ-ଇଲୋହେ-ଇସ୍ରାଏଲ33:20 ପରମେଶ୍ୱର, ଇସ୍ରାଏଲର ପରମେଶ୍ୱର, ପୁଣି ଯେ ସର୍ବଶକ୍ତିମାନ ଅଟନ୍ତି ରଖିଲା।

← ଆଦି ପୁସ୍ତକ 32 ଆଦି ପୁସ୍ତକ ଆଦି ପୁସ୍ତକ 34 →