1ଅତଏବ ପ୍ରଭୁଙ୍କ ହେତୁ ବନ୍ଦୀ ଯେ ମୁଁ, ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି, ତୁମ୍ଭେମାନେ ଯେଉଁ ଆହ୍ୱାନରେ ଅାହୂତ ହୋଇଅଛ, ସେଥିର ଯୋଗ୍ୟ ଆଚରଣ କର,
2ଅର୍ଥାତ୍ ସର୍ବପ୍ରକାର ନମ୍ରତା, ମୃଦୁତା, ଦୀର୍ଘ ସହିଷ୍ଣୁତା ଓ ପ୍ରେମରେ ପରସ୍ପର ପ୍ରତି ସହନଶୀଳ ହୁଅ;
3ଶାନ୍ତିରୂପ ବନ୍ଧନରେ ବାନ୍ଧି ହୋଇ ଆତ୍ମାଙ୍କ ଐକ୍ୟ ରକ୍ଷା କରିବା ନିମନ୍ତେ ଯତ୍ନବାନ ହୁଅ।
4ଏକ ଶରୀର ଓ ଏକ ଆତ୍ମା, ଯେଉଁ ରୂପେ ତୁମ୍ଭେମାନେ ତୁମ୍ଭମାନଙ୍କ ଆହ୍ୱାନର ଏକ ଭରସାରେ ମଧ୍ୟ ଆହୂତ ହୋଇଅଛ;
5ଏକ ପ୍ରଭୁ, ଏକ ବିଶ୍ୱାସ, ଏକ ବାପ୍ତିସ୍ମ, ସମସ୍ତଙ୍କ ଏକ ଈଶ୍ବର ଓ ପିତା;
6ସେ ସମସ୍ତଙ୍କ ଉପରେ, ସମସ୍ତଙ୍କ ମଧ୍ୟରେ ଏବଂ ସମସ୍ତଙ୍କ ଅନ୍ତରରେ ଅଛନ୍ତି।
7କିନ୍ତୁ ଖ୍ରୀଷ୍ଟଙ୍କ ଦାନର ପରିମାଣ ଅନୁସାରେ ଆମ୍ଭମାନଙ୍କ ପ୍ରତ୍ୟେକକୁ ଅନୁଗ୍ରହ ଦିଆଯାଇଅଛି।
8ଏଥିନିମନ୍ତେ ଉକ୍ତ ଅଛି,
9(ସେ ଆରୋହଣ କଲେ ବୋଲି କହିବାର ଅର୍ଥ କଅଣ? ନା, ସେ ମଧ୍ୟ ନୀଚସ୍ଥ ପୃଥିବୀକୁ ଅବତରଣ କରିଥିଲେ।
10ଯେ ଅବତରଣ କରିଥିଲେ, ସେ ଯେପରି ସମସ୍ତ ବିଷୟ ପୂର୍ଣ୍ଣ କରନ୍ତି, ଏଥିପାଇଁ ସେ ସମସ୍ତ ସ୍ୱର୍ଗର ଊର୍ଦ୍ଧ୍ୱକୁ ମଧ୍ୟ ଆରୋହଣ କଲେ।)
11ସେ କାହା କାହାକୁ ପ୍ରେରିତ, କାହା କାହାକୁ ଭାବବାଦୀ, କାହା କାହାକୁ ସୁସମାଚାର ପ୍ରଚାରକ, ପୁଣି, କାହା କାହାକୁ ପାଳକ ଓ ଶିକ୍ଷକ ରୂପେ ନିଯୁକ୍ତ କରି ଦାନ କରିଅଛନ୍ତି,
12ଯେପରି ସାଧୁମାନେ ସେବାକାର୍ଯ୍ୟ ନିମନ୍ତେ ସିଦ୍ଧି ଲାଭ କରନ୍ତି ଓ ଖ୍ରୀଷ୍ଟଙ୍କ ଶରୀର ନିଷ୍ଠାପ୍ରାପ୍ତ ହୁଏ,
13ଶେଷରେ ଯେପରି ଆମ୍ଭେମାନେ ସମସ୍ତେ ବିଶ୍ୱାସରେ ଓ ଈଶ୍ବରଙ୍କ ପୁତ୍ର ବିଷୟକ ଜ୍ଞାନରେ ଏକତା ପ୍ରାପ୍ତ ହେଉ, ଅର୍ଥାତ୍ ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣ ଅନୁସାରେ ପୂର୍ଣ୍ଣ ବୟସ୍କ ପୁରୁଷ ହେଉ,
14ଯେପରି ଆମ୍ଭେମାନେ ଆଉ ଶିଶୁ ପରି ନ ହୋଇ ମନୁଷ୍ୟମାନଙ୍କ ପ୍ରତାରଣା ଓ ଭ୍ରାନ୍ତି ଯୁକ୍ତ କଳ୍ପନା ଅନୁସାରେ ଧୃର୍ତ୍ତତା ଦ୍ୱାରା ବିଭିନ୍ନ ଶିକ୍ଷା ରୂପ ବାୟୁରେ ଇତଃସ୍ତତଃ ଚାଳିତ ନ ହେଉ,
15କିନ୍ତୁ ସତ୍ୟ ଅବଲମ୍ବନ କରି ମସ୍ତକ ସ୍ୱରୂପ ଯେ ଖ୍ରୀଷ୍ଟ, ତାହାଙ୍କ ଉଦ୍ଦେଶ୍ୟରେ ସର୍ବ ବିଷୟରେ ପ୍ରେମରେ ବୃଦ୍ଧି ପାଉ;
16ତାହାଙ୍କଠାରୁ ସମସ୍ତ ଶରୀର ପ୍ରତ୍ୟେକ ସନ୍ଧିର ସାହାଯ୍ୟ ଦ୍ୱାରା ପୁଣି, ପ୍ରତ୍ୟେକ ଅଂଶର କାର୍ଯ୍ୟସାଧକ ଶକ୍ତି ଅନୁସାରେ ସୁଖଚିତ ଓ ସୁସଂଯୁକ୍ତ ହୋଇ ପ୍ରେମରେ ଆପଣାର ନିଷ୍ଠା ନିମନ୍ତେ ନିଜର ବୃଦ୍ଧି ସାଧନ କରୁଅଛି।
17ଅତଏବ ମୁଁ ପ୍ରଭୁଙ୍କ ନାମରେ ବିଶେଷ ଅନୁରୋଧ କରି କହୁଅଛି, ଅବିଶ୍ୱାସୀମାନେ ଯେପରି ଆପଣା ଆପଣା ମନର ଅସାରତାରେ ଆଚରଣ କରନ୍ତି, ତୁମ୍ଭେମାନେ ସେହିପରି ଆଚରଣ କର ନାହିଁ;
18ସେମାନେ ଆପଣାମାନଙ୍କଠାରେ ଥିବା ମୂର୍ଖତା ହେତୁ ଓ ନିଜ ନିଜ ହୃଦୟର ଜଡତା ହେତୁ ଆପଣା ଆପଣା ବୁଦ୍ଧିରେ ଅନ୍ଧକାରାଚ୍ଛନ୍ନ ପୁଣି, ଈଶ୍ବରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି;
19ସେମାନେ ଜଡବତ୍ ହୋଇ ଧନଲୋଭରେ ଆସକ୍ତ ହେବା ସଙ୍ଗେ ସଙ୍ଗେ ସର୍ବପ୍ରକାର ଅଶୁଚି କର୍ମ କରିବା ନିମନ୍ତେ ଆପଣା ଆପଣାକୁ କାମୁକତାରେ ସମର୍ପଣ କରିଅଛନ୍ତି।
20କିନ୍ତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କୁ ସେପ୍ରକାରେ ଶିକ୍ଷା କରି ନାହଁ;
21ତୁମ୍ଭେମାନେ ତ ତାହାଙ୍କ ବିଷୟ ଶୁଣିଅଛ, ପୁଣି, ଯୀଶୁଙ୍କ ସମ୍ବନ୍ଧୀୟ ସତ୍ୟ ଅନୁସାରେ ତାହାଙ୍କ ସହଭାଗିତାରେ ଥାଇ ଶିକ୍ଷିତ ହୋଇଅଛ,
22ଅର୍ଥାତ୍ ତୁମ୍ଭେମାନେ ତୁମ୍ଭମାନଙ୍କ ପୁରାତନ ଆଚରଣ ସମ୍ବନ୍ଧରେ, ଯେଉଁ ପୁରାତନ ସ୍ୱଭାବ ପ୍ରବଞ୍ଚନାର ବିଳାସିତା ଅନୁସାରେ ଅଧିକରୁ ଅଧିକ ଭ୍ରଷ୍ଟ ହେଉଅଛି, ତାହାକୁ ପରିତ୍ୟାଗ କରିବାକୁ,
23ପୁଣି, ତୁମ୍ଭମାନଙ୍କ ମନରେ ନୂତନୀକୃତ ହୋଇ,
24ଯେଉଁ ନୂତନ ସ୍ୱଭାବ ଈଶ୍ବରଙ୍କ ପ୍ରତିମୂର୍ତ୍ତିରେ ଧାର୍ମିକତା ଓ ସତ୍ୟର ପବିତ୍ରତାରେ ସୃଷ୍ଟ ହୋଇଅଛି, ତାହା ପରିଧାନ କରିବାକୁ ଶିକ୍ଷିତ ହୋଇଅଛ।
25ଅତଏବ ମିଥ୍ୟା ପରିତ୍ୟାଗ କରି ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀ ସହିତ ସତ୍ୟ ଆଳାପ କର, କାରଣ ଆମ୍ଭେମାନେ ପରସ୍ପରର ଅଙ୍ଗପ୍ରତ୍ୟଙ୍ଗ।
26କ୍ରୋଧ କର କିନ୍ତୁ ପାପ କର ନାହିଁ; ସୂର୍ଯ୍ୟ ଅସ୍ତ ନ ହେଉଣୁ କ୍ରୋଧ ପରିତ୍ୟାଗ କର, ପୁଣି, ଶୟତାନକୁ ସ୍ଥାନ ଦିଅ ନାହିଁ।
27ଚୋର ଆଉ ଚୋରି ନ କରୁ,
28ବରଂ ଅଭାବଗ୍ରସ୍ତ ଲୋକକୁ ଦାନ କରିବା ନିମନ୍ତେ ଯେପରି ତାହା ପାଖରେ କିଛି ଥାଇ ପାରେ, ଏଥିନିମନ୍ତେ ନିଜ ହାତରେ ଉତ୍ତମ କାର୍ଯ୍ୟ କରି ପରିଶ୍ରମ କରୁ।
29ତୁମ୍ଭମାନଙ୍କ ମୁଖରୁ କୌଣସି କୁବାକ୍ୟ ନିର୍ଗତ ନ ହେଉ, ବରଂ ଆବଶ୍ୟକ ଅନୁସାରେ ନିଷ୍ଠାଜନକ ବାକ୍ୟ ନିର୍ଗତ ହେଉ, ଯେପରି ତାହା ଶ୍ରୋତାମାନଙ୍କ ଅନୁଗ୍ରହ ପକ୍ଷରେ ହିତଜନକ ହୁଏ।
30ଆଉ ଈଶ୍ବରଙ୍କ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମ୍ଭେମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ, ତାହାଙ୍କୁ ଦୁଃଖ ଦିଅ ନାହିଁ।
31ସମସ୍ତ ପ୍ରକାର କଟୁ ଭାବ, ରାଗ, କ୍ରୋଧ, କଳହ ଓ ନିନ୍ଦା, ପୁଣି, ସମସ୍ତ ପ୍ରକାର ହିଂସା ତୁମ୍ଭମାନଙ୍କଠାରୁ ଦୂର ହେଉ;
32ଆଉ ପରସ୍ପର ପ୍ରତି ସଦୟ ହୁଅ, କୋମଳ ହୃଦୟ ପୁଣି, ଈଶ୍ବର ଖ୍ରୀଷ୍ଟଙ୍କଠାରେ ତୁମ୍ଭମାନଙ୍କୁ ଯେପରି କ୍ଷମା କଲେ, ସେହିପରି ପରସ୍ପରକୁ କ୍ଷମା କର।