We Believe JesusFé, Esperança e Nova Vida

ପ୍ରକାଶିତ 2

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ · oriá

← ପ୍ରକାଶିତ 1 ପ୍ରକାଶିତ ପ୍ରକାଶିତ 3 →

1“ଏଫିସ ମଣ୍ଡଳୀର ଦୂତ ନିକଟକୁ ଲେଖ:

2ଆମ୍ଭେ ତୁମ୍ଭର କର୍ମ, ପରିଶ୍ରମ ଓ ଧୈର୍ଯ୍ୟ ଜାଣୁ; ପୁଣି, ତୁମ୍ଭେ ଯେ ଦୁଷ୍ଟମାନଙ୍କର କ୍ରିୟା ସହି ନ ପାର, ଆଉ ଯେଉଁମାନେ ଆପଣା ଆପଣାକୁ ପ୍ରେରିତ ବୋଲି କହନ୍ତି, କିନ୍ତୁ ପ୍ରକୃତରେ ପ୍ରେରିତ ନୁହଁନ୍ତି, ସେମାନଙ୍କୁ ପରୀକ୍ଷା କରି ମିଥ୍ୟାବାଦୀ ବୋଲି ଚିହ୍ନିଅଛ,

3ପୁଣି, ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇ ନାହଁ, ଏହା ମଧ୍ୟ ଆମ୍ଭେ ଜାଣୁ।

4ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ତୁମ୍ଭେ ଆପଣା ଆଦ୍ୟ ପ୍ରେମ ପରିତ୍ୟାଗ କରିଅଛ।

5ଏଣୁ କେଉଁଠାରୁ ତୁମ୍ଭର ପତନ ହୋଇଅଛି, ତାହା ସ୍ମରଣ କରି ମନ-ପରିବର୍ତ୍ତନ କର ଓ ଆଦ୍ୟ କର୍ମସବୁ କର; ନୋହିଲେ ଯେବେ ମନ-ପରିବର୍ତ୍ତନ ନ କର, ତେବେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ତୁମ୍ଭର ପ୍ରଦୀପ ସ୍ୱସ୍ଥାନରୁ ଘୁଞ୍ଚାଇଦେବୁ।

6ହେଲେ, ତୁମ୍ଭର ଏହି ସଦ୍‌ଗୁଣ ଅଛି ଯେ, ଆମ୍ଭେ ନୀକଲାତୀୟମାନଙ୍କର ଯେଉଁ ସବୁ କର୍ମ ଘୃଣା କରୁ, ତୁମ୍ଭେ ମଧ୍ୟ ସେହିସବୁ ଘୃଣା କରୁଅଛ।

7ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଈଶ୍ବରଙ୍କ ପାରଦୀଶରେ ଥିବା ଜୀବନ ବୃକ୍ଷର ଫଳ ଖାଇବାକୁ ଦେବୁ।”

8“ସ୍ମୁର୍ଣ୍ଣା ମଣ୍ଡଳୀର ଦୂତ ନିକଟକୁ ଲେଖ:

9ସେ ଏହା କହନ୍ତି, ଆମ୍ଭେ ତୁମ୍ଭର କ୍ଲେଶ ଓ ଦୀନତା ଜାଣୁ, (କିନ୍ତୁ ତୁମ୍ଭେ ଧନବାନ), ଆଉ ଯେଉଁମାନେ ଆପଣାମାନଙ୍କୁ ଯିହୁଦୀ ବୋଲି କହନ୍ତି, ମାତ୍ର ପ୍ରକୃତରେ ଯିହୁଦୀ ନୁହଁନ୍ତି, ବରଂ ଶୟତାନର ଦଳ, ସେମାନଙ୍କର ନିନ୍ଦା ମଧ୍ୟ ଆମ୍ଭେ ଜାଣୁ।

10ତୁମ୍ଭେ ଯେଉଁ ସବୁ ଦୁଃଖଭୋଗ କରିବାକୁ ଯାଉଅଛ, ସେହିସବୁକୁ ଭୟ କର ନାହିଁ; ଦେଖ, ତୁମ୍ଭମାନଙ୍କ ପରୀକ୍ଷା ନିମନ୍ତେ ଶୟତାନ ତୁମ୍ଭମାନଙ୍କ ମଧ୍ୟରୁ କାହାରି କାହାରିକୁ କାରାଗାରରେ ନିକ୍ଷେପ କରିବ, ଆଉ ତୁମ୍ଭେମାନେ ଦଶ ଦିନ କ୍ଲେଶ ଭୋଗ କରିବ। ତୁମ୍ଭେ ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାଅ, ସେଥିରେ ଆମ୍ଭେ ତୁମ୍ଭକୁ ଜୀବନରୂପ ମୁକୁଟ ଦେବୁ।

11ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ସେ ଦ୍ୱିତୀୟ ମୃତ୍ୟୁ ଦ୍ୱାରା କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବ ନାହିଁ।”

12“ପର୍ଗମ ମଣ୍ଡଳୀର ଦୂତ ନିକଟକୁ ଲେଖ:

13ଯେଉଁଠାରେ ଶୟତାନର ସିଂହାସନ, ସେଠାରେ ଯେ ତୁମ୍ଭେ ବାସ କରୁଅଛ, ଏହା ଆମ୍ଭେ ଜାଣୁ; ତଥାପି ତୁମ୍ଭେ ଆମ୍ଭର ନାମ ଦୃଢ଼ରୂପେ ଧରିଅଛ, ଆଉ ଆମ୍ଭର ବିଶ୍ୱସ୍ତ ସାକ୍ଷୀ ଆନ୍ତିପା ଯେତେବେଳେ ତୁମ୍ଭମାନଙ୍କ ମଧ୍ୟରେ ଶୟତାନର ସେହି ବସତି ସ୍ଥଳରେ ହତ ହୋଇଥିଲା, ତୁମ୍ଭେ ଆମ୍ଭଠାରେ ବିଶ୍ୱାସ କରୁଅଛ ବୋଲି ସେତେବେଳେ ସୁଦ୍ଧା ଅସ୍ୱୀକାର କରି ନ ଥିଲ।

14କିନ୍ତୁ ତୁମ୍ଭ ବିରୁଦ୍ଧରେ ଆମ୍ଭର କଥା ଅଛି, ଯେଉଁ ବିଲୀୟାମ ଦେବପ୍ରସାଦ ଭୋଜନ ଓ ବେଶ୍ୟାଗମନରୂପ ଫାନ୍ଦ ଇସ୍ରାଏଲ ସନ୍ତାନମାନଙ୍କ ସମ୍ମୁଖରେ ପକାଇବାକୁ ବାଲାକକୁ ଶିକ୍ଷା ଦେଇଥିଲା, ତାହାର ମତାବଲମ୍ବୀ କେତେକ ଜଣ ତୁମ୍ଭ ମଧ୍ୟରେ ସେଠାରେ ଅଛନ୍ତି।

15ସେହିପରି ମଧ୍ୟ ନୀକଲାତୀୟ ମତାବଲମ୍ବୀ କେତେକ ତୁମ୍ଭ ମଧ୍ୟରେ ଅଛନ୍ତି।

16ଏଣୁ ମନ-ପରିବର୍ତ୍ତନ କର; ନୋହିଲେ ଆମ୍ଭେ ଶୀଘ୍ର ତୁମ୍ଭ ନିକଟକୁ ଆସି ସ୍ୱମୁଖନିଃସୃତ ଖଡ୍ଗ ଦ୍ୱାରା ସେମାନଙ୍କ ସଙ୍ଗେ ଯୁଦ୍ଧ କରିବୁ।

17ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ। ଯେ ଜୟ କରେ, ତାହାକୁ ଆମ୍ଭେ ଗୁପ୍ତ ସ୍ବର୍ଗୀୟ ଭୋଜନ ଦେବୁ, ପୁଣି, ଯେଉଁ ନାମ ଗ୍ରହଣକର୍ତ୍ତା ବିନା ଅନ୍ୟ କେହି ଜାଣେ ନାହିଁ, ଏପରି ନୂତନ ନାମ ଲିଖିତ ଏକ ଶ୍ୱେତ ପ୍ରସ୍ତର ତାହାକୁ ଦେବୁ।”

18“ଥୁୟାଥିରା ମଣ୍ଡଳୀର ଦୂତ ନିକଟକୁ ଲେଖ:

19ଆମ୍ଭେ ତୁମ୍ଭର କର୍ମ, ପ୍ରେମ, ବିଶ୍ୱାସ, ସେବା ଓ ଧୈର୍ଯ୍ୟ ଜାଣୁ, ପୁଣି, ତୁମ୍ଭର ବର୍ତ୍ତମାନ କର୍ମ ତୁମ୍ଭର ପୂର୍ବ କର୍ମଗୁଡ଼ିକ ଅପେକ୍ଷା ଯେ ଅଧିକ, ଏହା ମଧ୍ୟ ଜାଣୁ।

20ତଥାପି ତୁମ୍ଭ ବିରୁଦ୍ଧରେ ଆମ୍ଭର ଏହି କଥା ଅଛି, ଯିଜେବଲ ନାମ୍ନୀ ଯେଉଁ ନାରୀ ଆପଣାକୁ ଭାବବାଦିନୀ ବୋଲି କହି ମୋହର ଦାସମାନଙ୍କୁ ବେଶ୍ୟାଗମନ ଓ ଦେବପ୍ରସାଦ ଭୋଜନ କରିବାକୁ ଶିକ୍ଷା ଦେଇ ଭୁଲାଉଅଛି, ତୁମ୍ଭେ ତାହାର ଦୁଷ୍କର୍ମ ସହ୍ୟ କରୁଅଛ।

21ଆମ୍ଭେ ତାହାକୁ ମନ-ପରିବର୍ତ୍ତନ କରିବାକୁ ସମୟ ଦେଲେ ହେଁ ସେ ଆପଣା ବେଶ୍ୟାବୃତ୍ତିରୁ ମନ-ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଉ ନାହିଁ।

22ଦେଖ, ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ, ଆଉ ଯେଉଁମାନେ ତାହା ସହିତ ବ୍ୟଭିଚାର କରନ୍ତି, ସେମାନେ ତାହାର କର୍ମର ସହଭାଗିତାରୁ ମନ-ପରିବର୍ତ୍ତନ ନ କଲେ ଆମ୍ଭେ ସେମାନଙ୍କୁ ମହାକ୍ଲେଶରେ ପକାଇବା,

23ପୁଣି, ଆମ୍ଭେ ତାହାର ଅନୁଗମନକାରୀମାନଙ୍କୁ ମୃତ୍ୟୁ ଦ୍ୱାରା ବିନାଶ କରିବୁ। ସେଥିରେ ଆମ୍ଭେ ଯେ ମର୍ମ ଓ ହୃଦୟର ପରୀକ୍ଷକ, ପୁଣି, ତୁମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଆପଣା ଆପଣା କର୍ମାନୁସାରେ ଫଳଦାତା, ଏହା ମଣ୍ଡଳୀଗଣ ଜାଣିବେ।

24କିନ୍ତୁ ତୁମ୍ଭମାନଙ୍କୁ, ଅର୍ଥାତ୍‍ ଥୁୟାଥିରାରେ ଥିବା ଯେଉଁ ଅବଶିଷ୍ଟ ଲୋକେ ଏହି ମତାବଲମ୍ବୀ ନୁହଁ ଓ ଯାହାକୁ ଶୟତାନର ନିଗୂଢ଼ ଶିକ୍ଷା ବୋଲି କହନ୍ତି, ତାହା ଜ୍ଞାତ ନୁହଁ, ତୁମ୍ଭମାନଙ୍କୁ ଆମ୍ଭେ କହୁଅଛୁ, ତୁମ୍ଭମାନଙ୍କ ଉପରେ ଆମ୍ଭେ ଆଉ କୌଣସି ଭାର ଦେବୁ ନାହିଁ।

25କେବଳ ତୁମ୍ଭମାନଙ୍କଠାରେ ଯାହା ଅଛି, ତାହା ଆମ୍ଭର ଆଗମନ ପର୍ଯ୍ୟନ୍ତ ଦୃଢ଼ରୂପେ ଧରି ରଖ।

26ଯେ ଜୟ କରେ ଓ ଶେଷ ପର୍ଯ୍ୟନ୍ତ ଆମ୍ଭର କର୍ମ କରେ, ଆମ୍ଭେ ଯେପରି ଆମ୍ଭର ପିତାଙ୍କଠାରୁ କ୍ଷମତା ପ୍ରାପ୍ତ ହୋଇଅଛୁ, ତାହାକୁ ମଧ୍ୟ ସେହିପରି ସମସ୍ତ ଜାତି ଉପରେ କ୍ଷମତା ଦେବୁ;

27ସେ ସେମାନଙ୍କୁ ଲୌହ ଦଣ୍ଡ ଦ୍ୱାରା ଶାସନ କରିବେ, ଆଉ ସେମାନେ କୁମ୍ଭକାରର ପାତ୍ର ପରି ଖଣ୍ଡ ଖଣ୍ଡ ହେବେ,

28ପୁଣି, ଆମ୍ଭେ ତାହାକୁ ପ୍ରଭାତୀତାରା ଦେବୁ।

29ମଣ୍ଡଳୀଗଣଙ୍କୁ ଆତ୍ମା କଅଣ କହନ୍ତି, ଯାହାର କର୍ଣ୍ଣ ଅଛି, ସେ ତାହା ଶୁଣୁ।”

← ପ୍ରକାଶିତ 1 ପ୍ରକାଶିତ ପ୍ରକାଶିତ 3 →